ଅନୁଗୁଳ : ନାତି ସାଜିଲା ପିଶାଚ। ଜେଜେ ମାଆକୁ ଅତି ନିର୍ମମ ଭାବେ ହତ୍ୟା କଲା ନାତି। ମାତ୍ର ଚାରି ଶହ ଟଙ୍କା ପାଇଁ ଘଟାଇଛି ଏହି ଅମାନୁଷିକ ଘଟଣା। ତେବେ ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା କଣିଁହା ଥାନା ସାନତ୍ରିବିଡା ଗାଁରେ ଘଟିଛି। ମୃତକ ହେଉଛନ୍ତି ୭୫ ବର୍ଷୀୟା ଗୁରୁବାରି ବିଶ୍ବାଳ । ଏହି ଘଟଣା ପରେ ନିର୍ବିକାର ପାଲଟି ଯାଇଛନ୍ତି ଗାଁ ଲୋକେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଗୁରୁବାରିଙ୍କର ଚାରୋଟି ପୁଅ। ସାନତ୍ରିବିଡା ଗାଁରେ ତିନି ପୁଅଙ୍କ ପାଖରେ ସେ ରହି ଆସୁଥିବାବେଳେ, ସାନ ପୁଅ ରାଜନ ବିଶ୍ବାଳ ଘରଜ୍ୱାଇଁ ହୋଇ ପରିବାର ନେଇ ହରିଚନ୍ଦନ ପୁର ଗାଁରେ ରୁହନ୍ତି। ବୁଢ଼ୀ ଜେଜେମାକୁ ନିଛାଟିଆ ଜଙ୍ଗଲକୁ ନେଇ ଟଙ୍କା ମାଗିଲା ବାପୁଜୀ। ଆଉ ଗୁରୁବାରୀ ଟଙ୍କା ନଦେବାରୁ ନାତି ବାପୁଜୀ ତାଙ୍କର ହତ୍ୟା କରିଥିଲା। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ। ତେବେ ଗ୍ରାମବାସୀ ଜଙ୍ଗଲରେ ମୃତଦେହ ପଡିଥିବାର ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଘଟଣାରେ ତଦନ୍ତ କରିଥିଲେ।