ବଲାଙ୍ଗୀର/ସୁନ୍ଦରଗଡ଼: ଆଜି ଗୋଟିଏ ଦିନରେ ଭିନ୍ନ ଭିନ୍ନ ମାମଲାରେ ଦୁଇ ଜଣ ସରକାରୀ ଅଧିକାରୀ ସଜା ଶୁଣାଇଛନ୍ତି ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ କୋର୍ଟ ଦଣ୍ଡାଦେଶ କରିଛନ୍ତି । ୨ ବର୍ଷ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ଅଦାଲତ । କଟକର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିବାପରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କର ପେନସନ୍ ବନ୍ଦ କରିବା ଲାଗି ପଦକ୍ଷେପ ନେବ ଭିଜିଲାନ୍ସ।
ସେହିପରି ବଲାଙ୍ଗୀର ଡିଏଫ୍ଓର ଆକାଉଣ୍ଟାଣ୍ଟ୍ ତଥା କିରାଣୀ କାଳନ୍ଦୀଚରଣ ଭୂୟାଁଙ୍କୁ ସ୍ୱତନ୍ତ୍ର ଅଦାଲତ ୩ ବର୍ଷ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନା ମଧ୍ୟ ଶୁଣାଇଛନ୍ତି । ୨୦୧୯, ଜୁନ୍ ୨୭ ତାରିଖରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ସମ୍ବଲପୁର ଭିଜିଲାନ୍ସ ଶାଖା ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ।