ଭୁବନେଶ୍ୱର: ସ୍ୱାମୀଙ୍କ ଅର୍ଜିତ କଳାଧନକୁ ଲୁଚାଇବା ପତ୍ନୀଙ୍କ ପାଇଁ ବୁମେରାଂ ପାଲଟିଛି । ଯେଉଁଧନକୁ ଲୁଚାଇବାକୁ ଯାଇଥିଲେ ସେହି ଧନ ପୁଣି ଥରେ ତାଙ୍କ କଳା କାରନାମାର ପର୍ଦ୍ଦାଫାସ୍ କରିଦେଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆର୍ ଆଣ୍ଡ୍ ବି ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଶେଷରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ଗତକାଲି କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ସେଠୀଙ୍କର ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଭିଜିଲାନ୍ସ କୋର୍ଟଙ୍କ ଅନୁମତି କ୍ରମେ ନୂଆପଡ଼ାସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ, ଭୁବନେଶ୍ୱର ଲିଙ୍ଗିପୁରରେ ଥିବା ଘର ଏବଂ ପିପିଲି ସମେତ ୮ଟି ସ୍ଥାନରେ ଯାଞ୍ଚ କରାଯାଇଥିଲା । ଚଢ଼ଉ ସମୟରେ ୩ଟି ବହୁତଳ ବିଶିଷ୍ଟ କୋଠା, ଗୋଟିଏ ଫାର୍ମ ହାଉସ୍, ୯ଟି ଦାମୀ ପ୍ଲଟ୍, ୨ଟି ଦାମୀ କାର୍ ଯେଉଁଥିରେ ଏକ ବେନାମୀ କାର ରହିଛି ଏବଂ ନଗଦ ୫୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଜବତ ସମ୍ପତ୍ତିର ସଠିକ ଜବାବ ଦେଇ ନ ଥିବାରୁ ତାଙ୍କୁ ଶେଷରେ ଗିରଫ କରାଯାଇଛି । ତେବେ ଏହି ମାମଲା ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଛି ।
ମିଳିଥିବା ସୂଚନା ମୁତାବକ, ୨୦୨୪ରେ ଘରେ ଭିଜିଲାନ୍ସ ଚଢ଼ଉ କରିବ ବୋଲି ଜାଣିବାକୁ ପାଇଥିଲେ ସୁଶାନ୍ତ ସେଠୀ । କଳାଧନକୁ ସୁରକ୍ଷିତ ରଖିବା ପାଇଁ ତାଙ୍କ ଘରେ ଭଡ଼ାରେ ରହୁଥିବା ଭଡ଼ାଟିଆଙ୍କ ନିକଟରେ ସୁଶାନ୍ତଙ୍କ ପତ୍ନୀ କାର୍, ୫୫ ଲକ୍ଷ ଟଙ୍କା ଏବଂ ୧ କିଲୋ ୪୦୦ ଗ୍ରାମ ସୁନା ରଖିଥିଲେ । କିନ୍ତୁ ଚଢ଼ଉ ନ ହେବାରୁ ପରବର୍ତ୍ତୀ ସମୟରେ ସୁଶାନ୍ତଙ୍କ ପତ୍ନୀ ଉକ୍ତ ଟଙ୍କା ଏବଂ ସୁନା ଭଡ଼ାଟିଆଙ୍କୁ ମାଗିଥିଲେ । ମାତ୍ର ଭଡ଼ାଟିଆ ମଧ୍ୟ କଳାଧନ ଜାଣିପାରି ଟଙ୍କା କିମ୍ବା ସୁନା ଫେରାଇ ନ ଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ୨୦୨୪, ଏପ୍ରିଲ ୧୩ ତାରିଖରେ ସୁଶାନ୍ତଙ୍କ ପତ୍ନୀ ଧଉଳି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ମାମଲାର ତଦନ୍ତବେଳେ ସୁଶାନ୍ତଙ୍କର କଳାଧନ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ମାମଲାର ମଧ୍ୟ ପୃଥକ ତଦନ୍ତ ଜାରି ରହିଛି ।