ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପୁଣି ଏକ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଲିଙ୍ଗରାଜ ଷ୍ଟେସନ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଭୀମଟାଙ୍ଗୀ ଅଞ୍ଚଳର ଖଣ୍ଡୁଆଳ ସାହିର ସନାତନ ରାଉତ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତେଣୁ ସନାତନଙ୍କୁ ହତ୍ୟା କରି ପିଙ୍ଗି ଦିଆଯାଇଥିବା ନେଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ପ୍ରାଥମିକ ସୂଚନା ମୁତାବକ, ଗୁରୁବାର ଲିଙ୍ଗରାଜ ଷ୍ଟେସନ ସମ୍ମୁଖରେ ଏକ ଘର ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏ ନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ପରେ ଉକ୍ତ ବ୍ୟକ୍ତି ଜଣକ ଭୀମଟାଙ୍ଗୀ ଅଞ୍ଚଳର ଖଣ୍ଡୁଆଳ ସାହିର ସନାତନ ରାଉତ ବୋଲି ଜଣାପଡ଼ିଥିଲା । ପରିବାର ଲୋକଙ୍କୁ ଖବର ଦେଇଥିଲା । ପରିବାର ଲୋକ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କୁ ପଥରରେ ଛେଚି ହତ୍ୟା କରାଯିବା ପରେ ଫିଙ୍ଗି ଦେଇ ଚାଲିଯାଇଥିବା ପରିବାର କହିଛି ।
ପୋଲିସ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ସହିତ ସମ୍ପୃକ୍ତ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରିଛି । ସିସିଟିଭ୍ ଫୁଟେଜରୁ ଜଣାପଡ଼ିଛି ଯେ ସନାତନ ଘର ଉପରୁ ତଳକୁ ପଡ଼ିଥିବା ଦେଖାଯାଇଛି । ଉପରୁ ତାଙ୍କୁ କିଏ ଫିଙ୍ଗିଛି କିମ୍ବା ସେ ନିଜେ ଖସି ପଡ଼ିଛନ୍ତି ସେ ନେଇ ଖୋଳତାଡ଼ ଜାରି ରହିଛି । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ସପ୍ତାହରେ ଜାଗମରା ସ୍ଥିତ ଏକ ଓୟିଓ ହୋଟେଲ ଛାତ ତଳକୁ ଯୁବତୀ ଡେଇଁ ପଡ଼ି ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଥିଲା । ମୃତ ଯୁବତୀ ଜଣକ ନୟାଗଡ଼ର ସୋନାଲୀ ମହାପାତ୍ର । ତାଙ୍କ ପୁରୁଷ ବନ୍ଧୁ ବିଭୂତି ପ୍ରତିହାରୀ ହତ୍ୟା କରିଥିବା ନେଇ ସୋନାଲୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଯାହାର ତଦନ୍ତ ଜାରି ରହିଛି ।