ଯାଜପୁର: ରାଜ୍ୟର ଶିଳ୍ପ ବିକାଶର ଏନ୍ତୁଡିଶାଳ ହେଉଛି ଶିଳ୍ପ ସମୃଦ୍ଧ କଳିଙ୍ଗ ନଗର । ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରି ରାଜ୍ୟ ପାଇଁ ଏହି ଅଂଚଳ ଏକ ଦୃଷ୍ଟାନ୍ତ ପାଲଟିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-ଉତ୍କର୍ଷ ଓଡ଼ିଶାର ଚମତ୍କାର ସଫଳତା ବଳରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ମିଳିଥିଲା । ଆଜି ବାସ୍ତବତା ଭୂମିରେ ଦୃଶ୍ୟମାନ ହେଉଛି ଯେ ଓଡ଼ିଶା ଆଉ କେବଳ ସମ୍ଭାବନାର ଭୂମି ନୁହେଁ, ଏହା ହେଉଛି ସୀମାହୀନ ସୁଯୋଗର ଭୂମି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ
୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି
ମେକ୍-ଇନ୍-ଓଡିଶା କନ୍କ୍ଲେଭର ମାତ୍ର ୧୧୩ ଦିନରେ ପ୍ରତିଶ୍ରୁତି ପୂରଣ
ଶିଳ୍ପ ବିକାଶର ଏନ୍ତୁଡିଶାଳ ‘ଶିଳ୍ପ ସମୃଦ୍ଧ କଳିଙ୍ଗ ନଗର’
ଓଡ଼ିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଆଉ ଏକ ସଫଳତାର ପୃଷ୍ଠା ଯୋଡି ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁରର କଳିଙ୍ଗନଗରଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଛନ୍ତି । ସମୁଦାୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଶୁଭ ଉଦ୍ଘାଟନ ହୋଇଛି । ପ୍ରାୟ ୪୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ପ୍ରାୟ ୬୬ ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏହା ଦ୍ୱାରା ପ୍ରାୟ ୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ କିପରି ଶିଳ୍ପ ସମୃଦ୍ଧ କରାଯିବ ତାହା ଉପରେ ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ, ଶିଳାନ୍ୟାସ ନୁହେଁ, କି ଉଦ୍ଘାଟନ ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ । ରାଜ୍ୟରେ ନିଯୁକ୍ତିର ଏକ ନୂଆ ଲହର ସୃଷ୍ଟି ହୋଇଛି । ମେକ୍-ଇନ୍-ଓଡିଶା କନ୍କ୍ଲେଭର ମାତ୍ର ୧୧୩ ଦିନ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ଆମ ସରକାର ପୂରଣ କରିଛନ୍ତି । ଯେଉଁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେଲା, ସମସ୍ତ ପ୍ରକଳ୍ପର ମେକ୍-ଇନ୍-ଓଡିଶା କନ୍କ୍ଲେଭରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ଓଡ଼ିଶାବାସୀଙ୍କ ବିଶ୍ୱାସକୁ ସାଥି କରି ସରକାର କାର୍ଯ୍ୟ କରୁଛି ଏବଂ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି । ଶିଳ୍ପର ବିକାଶ ପ୍ରଥମ ଉଦ୍ଦେଶ୍ୟ ଥିଲା ଆଉ ସେହି ଉଦ୍ଦେଶ୍ୟକୁ ଆମ ସରକାର ସଫଳ କରୁଛନ୍ତି ବୋଲି ସେ କହିଛନ୍ତି । ସେହିପରି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ରାଜ୍ୟର ଆର୍ଥିକ ପ୍ରଗତିର ମେରୁଦଣ୍ଡ ହେଉଛନ୍ତି ଯୁବଶକ୍ତି ଏବଂ ଯୁବଶକ୍ତିର ବିକାଶ ପାଇଁ ରୋଜଗାର ଆବଶ୍ୟକ । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କ ଉଦ୍ୟମ ସଫଳ ହେଉଛି । ଶିଳ୍ପର ବିକାଶ ହେଉଛି ଏବଂ ଏହା ଦ୍ୱାରା ଆମ ରାଜ୍ୟର ବିକାଶ ହେଉଛି।
ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶଦାସ ନାୟକ, ବଡଚଣା ବିଧାୟକ ଅମର ନାୟକ ପ୍ରମୁଖଙ୍କ ସମେତ ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥାର ଶିଳ୍ପପତିମାନେ ଯୋଗଦେଇଥିଲେ।