କଟକ: ମାନ୍ୟବର ଓଡ଼ିଶା ଉଚ୍ଚ ଅଦାଲତ ଏକ ଅଜବ ଜାମିନ ସର୍ତ୍ତ ରଖିଛନ୍ତି । ବ୍ୟାଙ୍କ୍ ସଫେଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବ୍ୟାଙ୍କ ସଫେଇ ନ କଲେ ଜାମିନ ଖାରଜ କରାଯିବ ବୋଲି କହିଛନ୍ତି ହାଇକୋର୍ଟ ।
ସୂଚନାନୁସାରେ, ମନୋଜ୍ଞାନ ପଟ୍ଟନାୟକ ନାମରେ ଜଣେ ମହିଳା ଗୋଟିଏ ସମ୍ପତ୍ତିକୁ ବିଭିନ୍ନ ବ୍ୟାଙ୍କରେ ବନ୍ଧକ ରଖି ଋଣ ନେଇଥିଲେ । କଟକ ଲିଙ୍କ ରୋଡ ଆଇସିଆଇସିଆଇ ବ୍ୟାଙ୍କରୁ ୩ଟି ଲୋନ ଆକାଉଣ୍ଟରେ ୧କୋଟି ୫ ଲକ୍ଷ ଟଙ୍କା ଋଣ କରିଥିଲେ । ସେହିପରି ଉକ୍ତ ସମାନ ସମ୍ପତ୍ତିକୁ ଭୁବନେଶ୍ୱର ଅଶୋକ ନଗର ଇଣ୍ଡିଆନ ବ୍ୟାଙ୍କରେ ବନ୍ଧକ ରଖି ଋଣ ନେଇଥିଲେ । କିନ୍ତୁ ଋଣ ଆଉ ପରିଶୋଧ କରି ନ ଥିଲେ । ଏ ନେଇ ଅଭିଯୋଗ ହେବା ପରେ କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା ।
ଫେବୃଆରୀ ୫ରେ କ୍ରାଇମବ୍ରାଞ୍ଚ ମନୋଜ୍ଞାନ ପଟ୍ଟନାୟକଙ୍କୁ ଗିରଫ କରିଥିଲା । ଉକ୍ତ ମହିଳା ଜଣକ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସର୍ତ୍ତ ଏହା ରହିଛି ଯେ ଅଭିଯୁକ୍ତ ମହିଳା ଜଣକ ଋଣ ନେଇଥିବା ବ୍ୟାଙ୍କରେ ସଫେଇ କାମ କରିବେ । ଆସନ୍ତା ଦୁଇ ମାସ ଯାଏ ନିୟମିତ ସଫା କରିବେ । ସକାଳ ୮ଟାରୁ ୧୦ଟା ମଧ୍ୟରେ ବ୍ୟାଙ୍କ ସଫେଇ କରିବେ । ଯଦି କୋର୍ଟଙ୍କ ଆଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ଜାମିନକୁ ଖାରଜ କରାଯିବ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି ।