ବଲାଙ୍ଗୀର: ନିଜର ମହାନତା ଦେଖାଇଛନ୍ତି ବିଧାୟକ । ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟରେ ନିଜର ୩ ମାସର ମୂଳ ଦରମାକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ବିଧାୟକ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜର ୩ ମାସର ଦରମା ୧ ଲକ୍ଷ ୫ ହଜାର ଆଜି ପ୍ରଧାନ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏ ନେଇ ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଦାନ କରିବା ପରେ ବିଧାୟକ ଶ୍ରୀ ବାଗ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଅପରେସନ ସିନ୍ଦୁରରେ ଆମର ଭାରତୀୟ ସୈନିକ ନିଜର ପରାକ୍ରମ ଦେଖାଇ, ପାକିସ୍ତାନର ମେରୁଦଣ୍ଡ ଭାଙ୍ଗିଛନ୍ତି । ଯେଉଁଥିପାଇଁ ଆମେ ପ୍ରତ୍ୟେକ ଗାଁରେ ତ୍ରିରଙ୍ଗା ଯାତ୍ରା କରି ଭାରତୀୟ ସେନାକୁ ସଲାମ କରୁଛୁ । ତେଣୁ ଯେଉଁମାନେ ଆମ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଉଛନ୍ତି, ସେହି ସେନାର ଉଦ୍ଦେଶ୍ୟରେ ନିଜର ତିନି ମାସର ଦାନ କରିଛନ୍ତି ବୋଲି କହିଛନ୍ତି ବିଧାୟକ । ବିଧାୟକଙ୍କୁ ମିଳୁଥିବା ମୂଳ ଦରମା ୩୫ ହଜାର ଟଙ୍କା ହିସାବରେ ତିନି ମାସର ଦରମା ମୋଟ ୧ ଲକ୍ଷ ୫ ହଜାର ଟଙ୍କାର ଏକ ଚେକ ତହସିଲଦାର ବିଶ୍ଵନାଥ ଖାଲକୋଙ୍କ ଜରିଆରେ ଲକ୍ଷ୍ମଣ ବାଗ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।