ଭୁବନେଶ୍ୱର: ବାଂଲାଦେଶୀ ନାଗରିକଙ୍କ ସପକ୍ଷରେ ମତ ଦେଇଥିବା ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ କୁଶପୁତ୍ତଳିକା ଦାହ କରିଛି ଭାରତୀୟ ଜନତା ପାର୍ଟି । ମେୟରଙ୍କୁ ବାଂଲାଦେଶୀ ମେୟର କହିଛି ବିଜେପି ।
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଭୁବନେଶ୍ୱର ରାଜମହଲ ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଛନ୍ତି । ସୁଲୋଚନା ଦାସଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ନାରାବାଜି କରିଛନ୍ତି । ଦେଶର ଗଢ଼ି ସନ୍ଧି ମୁହୂର୍ତ୍ତରେ ଦଳୀୟ ଭାବନା ରଖି ମେୟର ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଭୋଟ୍ ବ୍ୟାଙ୍କ ହ୍ରାସ ହେବା ଆଶଙ୍କାରେ ରାଜନୈତିକ ଉଦ୍ଦେଶ୍ୟରେ ମେୟର ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି କହିଛନ୍ତି ଜଗନ୍ନାଥ ପ୍ରଧାନ । ମେୟରଙ୍କ ଇସ୍ତଫା ଦାବି କରିଛି ବିଜେପି ।
ମେୟର ସୁଲୋଚନା ଦାସ କହିଥିଲେ ଯେ ଭୁବନେଶ୍ୱରରୁ ବାଂଲାଦେଶୀ ନାଗରିକଙ୍କୁ ବହିଷ୍କାର କରିହେବ ନାହିଁ । ଯେଉଁମାନଙ୍କର ଭୋଟ ପରିଚୟ ପତ୍ର ଏବଂ ରାସନକାର୍ଡ ରହିଛି, ସେମାନେ ଭାରତୀୟ । ବିଜେଡ଼ି ବାଂଲାଦେଶୀଙ୍କ ସପକ୍ଷରେ ରହିଛି ବୋଲି ମେୟର କହିଥିଲେ ।