ଭୁବନେଶ୍ୱର: ଏଣିକି ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିକୁ ସୁରକ୍ଷା ଯୋଗାଇବେ ରାଜ୍ୟ ସରକାର । କୌଣସି ଅଣ ଜନଜାତି ଏସସି/ଏସଟିଙ୍କ ଜମିକୁ କ୍ରୟ କରିପାରିବେ ନାହିଁ । ରାଜ୍ୟ ସରକାର ଉକ୍ତ ଜମିକୁ କିଣିବେ । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ବିଭାଗୀୟ ମନ୍ତ୍ରୀ କହିଛନ୍ତି, କୌଣସି ଧନୀକ ଶ୍ରେଣୀ ଅଣଜନଜାତି ଲୋକ ଏସସି/ଏସଟିଙ୍କ ଜମିକୁ ଚାପ ପ୍ରୟୋଗ କରି କିଣି ପାରିବେ ନାହିଁ । ଆଦିବାସୀ ଜମିକୁ ସୁରକ୍ଷିତ ରଖିବା ପାଇଁ ଗଠନ ହେବ କର୍ପସ ଫଣ୍ଡ । ଏଥିପାଇଁ କମିଟି ଗଠନ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । କମିଟିରେ ଏସସି/ଏସଟି ବିଭାଗ ପ୍ରମୁଖ ସଚିବ, ନିର୍ଦ୍ଦେଶକ ଓ ବିଶେଷଜ୍ଞମାନେ ରହିବେ । ସେମାନେ ନିରୀକ୍ଷଣ କରି ରିପୋର୍ଟ ପ୍ରଦାନ କରିବେ । ବିଭିନ୍ନ ରାଜନୈତିକ ଦଳର ବିଧାୟକ, ଏସସି/ଏସଟି ସଂଗଠନ ଓ ଏସସି/ଏସଟି ବିଭାଗର ଗୃହ କମିଟିର ପରାମର୍ଶ ଦେବେ । ସମସ୍ତଙ୍କ ପରାମର୍ଶ ପରେ କମିଟି ରିପୋର୍ଟ ପ୍ରଦାନ କରିବେ ।
ଅତି ଜରୁରୀ ସମୟ ଯଥା ଝିଅ ବାହାଘର, ଚିକିତ୍ସା ଏବଂ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜଣେ ଏସସି/ଏସଟି ଲୋକ ଚାହିଁଲେ ରାଜ୍ୟ ସରକାରଙ୍କୁ ଜମି ବିକ୍ରି କରି ପାରିବେ । ସରକାର ଏହାକୁ ୨ ରୁ ୩ ବର୍ଷ ଯାଏଁ ସୁରକ୍ଷିତ ଭାବେ ରଖିବେ । ଯଦି ଉକ୍ତ ବିକ୍ରିଦାତା ପରେ ଜମି ନ କିଣନ୍ତି, ତେବେ ସରକାର ଉକ୍ତ ଜମିକୁ ସେହି ସମ୍ପ୍ରଦାୟର ଲୋକଙ୍କୁ ନିଲାମ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।