ଜମ୍ମୁ କାଶ୍ମୀରର ପୁର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବିରୁଦ୍ଧରେ ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ। ତାଙ୍କ ସହିତ ତାଙ୍କର ୨ ଜଣ ବ୍ୟକ୍ତିଗତ ସଚିବ ଓ ଅନ୍ୟ ୪ ଜଣଙ୍କ ବିରୁଦ୍ଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଏହାରି ଭିତରେ ପୁଣି ଏକ ବଡ ଅପହେଟ୍ ସାମ୍ନାକୁ ଆସିଛି। ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି, ଯାହାର ସୂଚନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଦିଆଯାଇଛି। ସେ ହସ୍ପିଟାଲରୁ ତାଙ୍କ ବେଡର ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ସୂଚନା ଏପରି ଏକ ସମୟରେ ଆସିଛି ଯେତେବେଳେ ସିବିଆଇ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି।
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଲେଖିଛନ୍ତି - "ନମସ୍କାର ବନ୍ଧୁଗଣ। ମୋର ଅନେକ ଶୁଭେଚ୍ଛୁଙ୍କ ଠାରୁ ମୋତେ ଫୋନ୍ ଆସୁଛି ଯାହା ମୁଁ ଉଠାଇ ପାରୁନାହିଁ। ମୋର ଅବସ୍ଥା ବର୍ତ୍ତମାନ ବହୁତ ଖରାପ। ମୁଁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଏବଂ କାହା ସହିତ କଥା ହେବା ଅବସ୍ଥାରେ ନାହିଁ।" ସୋସିଆଲ ମିଡିଆରେ ସେୟାର ହୋଇଥିବା ହସ୍ପିଟାଲ ଫଟୋକୁ ଦେଖି ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ଯେ ତାଙ୍କର ଅବସ୍ଥା ବହୁତ ଗମ୍ଭୀର।
ଆପଣଙ୍କୁ କହିରଖୁଛୁ ଯେ ଆଜି ଗୁରୁବାର (୨୨ ମଇ) ଦିନ ସିବିଆଇ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। କିରୁ ହାଇଡ୍ରୋ ପ୍ରୋଜେକ୍ଟ ସହ ଜଡିତ ଦୁର୍ନୀତି ମାମଲାରେ ସିବିଆଇ ଏହି ଚାର୍ଜସିଟ୍ ଦାଖଲ କରିଛି। ପୂର୍ବରୁ ଫେବୃଆରୀ ୨୦୨୫ରେ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) କିରୁ ହାଇଡ୍ରୋ ପ୍ରୋଜେକ୍ଟରେ ଦୁର୍ନୀତି ଅଭିଯୋଗରେ ଜମ୍ମୁ ଏବଂ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ଜଡିତ ୩୦ ଟି ସ୍ଥାନରେ ଚଢାଉ କରିଥିଲା।
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ୨୦୧୯ ପୁଲୱାମା ଆକ୍ରମଣ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଉପରେ ଅବହେଳାର ଅଭିଯୋଗ ଆଣିଥିଲେ। ସେ ଦାବି କରିଥିଲେ ଯେ ସେନାକୁ ହେଲିକପ୍ଟର ମନା କରାଯାଇଥିଲା, ଯାହା ଫଳରେ ୪୦ ଜଣ ସୈନିକ ସହିଦ ହୋଇଥିଲେ। ଏହା ବ୍ୟତୀତ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ୨୦୨୦-୨୧ ବର୍ଷର ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ।