ସୁରକ୍ଷିତ ନୁହେଁ ପାକିସ୍ତାନରେ ଥିବା ହିନ୍ଦୁ ଧାର୍ମିକ ସ୍ଥଳୀ। କାରଣ ଏହା ଉପରେ ରହିଛି ପାକିସ୍ତାନର ଖରାପ ନଜର। ଏ କଥା ଆମେ ଏଥିପାଇଁ କହୁଛି, କାରଣ ପାକିସ୍ତାନର ସିନ୍ଧ ପ୍ରଦେଶର ତାଣ୍ଡୋ ଜାମ ସହର ନିକଟରେ ଥିବା ଏକ ୧୦୦ ବର୍ଷ ପୁରୁଣା ଶିବ ମନ୍ଦିରର ଜମିକୁ ବେଆଇନ ଭାବରେ ଜବରଦଖଲ କରାଯାଇଛି। କେବଳ ଏତିକି ନୁହେଁ, ଏହା ଚାରିପାଖରେ ବେଆଇନ୍ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସଂଗଠନ ଦାରୱାର ଇତ୍ତେହାଦ ପାକିସ୍ତାନ ଗୁରୁବାର ଏହି ବେଆଇନ ନିର୍ମାଣ ବନ୍ଦ କରିବାକୁ ସରକାରଙ୍କୁ ନିବେଦନ କରିଛି।
ସଂଗଠନ ମୁଖ୍ୟ ଶିବ କାଚି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶିବ ମନ୍ଦିରର କାର୍ଯ୍ୟକାରିତା ଏବଂ ମନ୍ଦିର ଚାରିପାଖରେ ପ୍ରାୟ ଚାରି ଏକର ଜମିର ରକ୍ଷଣାବେକ୍ଷଣ ପାଇଁ ଏକ କମିଟି ରହିଛି। ଏହି ସ୍ଥାନଟି କରାଚୀରୁ ପ୍ରାୟ ୧୮୫ କିଲୋମିଟର ଦୂରରେ ଟାଣ୍ଡୋ ଜାମ୍ ସହର ନିକଟସ୍ଥ ମୁସା ଖଟିଆନ୍ ଗାଁରେ ଅବସ୍ଥିତ। ମନ୍ଦିରର ଐତିହାସିକ ଗୁରୁତ୍ୱ ହେତୁ, ସିନ୍ଧ ଐତିହ୍ୟ ବିଭାଗର ଏକ ଦଳ ଗତ ବର୍ଷ ଏହାକୁ ନବୀକରଣ କରିଥିଲେ। ମନ୍ଦିର ନିକଟରେ ସମ୍ପ୍ରଦାୟର ଲୋକଙ୍କ ଶେଷକୃତ୍ୟ ପାଇଁ ଏକ ଶ୍ମଶାନ ମଧ୍ୟ ଅଛି। ପ୍ରତି ସୋମବାର ମନ୍ଦିରରେ ଭକ୍ତମାନେ ଭଜନ-କୀର୍ତ୍ତନ ମଧ୍ୟ କରନ୍ତି। ହେଲେ ଏବେ ଜମିମାଫିଆ ମନ୍ଦିର ଚାରିପାଖରେ ଜମିକୁ ବେଆଇନ ଭାବେ ଦଖଲ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି।
ସିନ୍ଧରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର କଲ୍ୟାଣ ପାଇଁ କାମ କରୁଥିବା ଏବଂ ଆଇନଗତ ସହାୟତା ପ୍ରଦାନ କରୁଥିବା କାଚି ମନ୍ଦିର ଚାରିପାଖରେ ବେଆଇନ ନିର୍ମାଣ ବନ୍ଦ କରିବାକୁ ପାକିସ୍ତାନ ସରକାରଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସିନ୍ଧରେ ଅନେକ ଐତିହାସିକ ହିନ୍ଦୁ ମନ୍ଦିର ଅଛି ଏବଂ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ।