ନୂଆଦିଲ୍ଲୀ: ପାକିସ୍ତାନୀ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଗିରଫ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ପ୍ରତି ଦିନ ନୂଆ ନୂଆ ଖୁଲାସାରେ ହେବାରେ ଲାଗିଛି । ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ୍ସ(ପିଆଇଓ)ର ଅଧିକାରୀଙ୍କ ସହ ସୂଚନା ଆଦାନ ପ୍ରଦାନ କରୁଥିବା ଜ୍ୟୋତିଙ୍କ ବିରୋଧରେ ଅଭିଯୋଗ ରହିଛି । ତେବେ କେଉଁ ପ୍ରକାରର ସୂଚନା ଆଦାନ ପ୍ରଦାନ ହେଉଥିଲା ଏ ପର୍ଯ୍ୟନ୍ତ ପୋଲିସ କିମ୍ବା ତଦନ୍ତକାରୀ ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।
ପାଞ୍ଚ ଦିନର ରିମାଣ୍ଡ ଅବଧିରେ ଜ୍ୟୋତିଙ୍କ ଆତଙ୍କୀ ସଂଗଠନ ସଂପର୍କ ଥିବାର ଏ ପର୍ଯ୍ୟନ୍ତ ପୋଲିସକୁ ଏମିତି କୌଣସି ପ୍ରମାଣ ମିଳନାହିଁ । ହିସାର ପୋଲିସ କହିଛି, ଏ ପର୍ଯ୍ୟନ୍ତ ସୈନ୍ୟ, ପ୍ରତିରକ୍ଷା କିମ୍ବା ରାଜନୈତିକ ସୂଚନା ନେଣଦେଣ କରୁଥିବାର ଜ୍ୟୋତିଙ୍କ ବିରୋଧରେ କୌଣସି ସାକ୍ଷ୍ୟ ପ୍ରମାଣ ମିଳିନାହିଁ । ହିସାର ପୋଲିସ ଏସପି ଶଶାଙ୍କ କୁମାର ସାବନ ପ୍ରେସ ବିବୃତି ଜାରି କରି ମିଡିଆରେ ଚାଲିଥିବା ଭ୍ରାମକ ଖବରରୁ ନିବୃତ୍ତ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ମିଡିଆଙ୍କୁ ସେ ଅନୁରୋଧ କରିଛନ୍ତି ଯେ, ଆନୁଷ୍ଠାନିକ ସୂଚନା ମିଳିବା ପରେ ହିଁ ସତ୍ୟ ଖବର ପ୍ରସାରଣ କରନ୍ତୁ । ଏ
ଜାରି ପ୍ରେସ୍ ବିବୃତିରେ ପୋଲିସ କହିଛି ଯେ, ଜ୍ୟୋତି ମାଲହୋତ୍ରାଙ୍କଠୁ ପୋଲିସ ଏକ ଲ୍ୟାପଟପ ଓ କିଛି ଇଲେକ୍ଟ୍ରୋନିକ ଉପକରଣ ଜବତ କରିଛି । କୁରୁକ୍ଷେତ୍ରର ହରକିତ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପଚରା ଉଚୁରା ପାଇଁ ଡକା ଯାଇଥିଲା । ପୋଲିସ ଏହା ମଧ୍ୟ କହିଛି ଯେ, ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ବହୁତ ତଥ୍ୟହୀନ ଖବର ପ୍ରସାରଣ କରାଯାଉଛି । ତଥ୍ୟହୀନ ଖବର କେବଳ ତଦନ୍ତକୁ ପ୍ରଭାବିତ କରେ ନାହିଁ ବରଂ ସିଧାସଳଖ ରାଷ୍ଟ୍ରୀୟ ସୁରକ୍ଷାକୁ ବି ପ୍ରଭାବିତ କରିଥାଏ ।
ଖବରକାଗଜ, ଇଲେକକ୍ଟୋନିକ୍ସ ମିଡିଆ ଓ ସୋସିଆଲ ମିଡିଆରେ ପ୍ରସାରିତ କିଛି ଗୁଜବକୁ ପୋଲିସ ଖଣ୍ଡନ କରିବା ସହ ସ୍ପଷ୍ଟ କରିଛି ଯେ, ହିସାର ପୋଲିସ ପୂରା ମାମଲାର ତଦନ୍ତ କରୁଛି । ଅଭିଯୁକ୍ତ ଜ୍ୟୋତି ହିସାର ପୋଲିସର ହେପାଜତରେ ରହିଛି । କିଛି ଏଜେନ୍ସି ବେଳେ ବେଳେ ପଚରା ଉଚୁରା କରୁଛନ୍ତି । କୌଣସି ତଦନ୍ତ ଏଜେନ୍ସିକୁ ଜ୍ୟୋତିଙ୍କୁ ହସ୍ତାନ୍ତର କରାଯାଇ ନାହିଁ ।