ନୂଆଦିଲ୍ଲୀ: ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନରେ ହୋଇଥିବା କଥିତ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି । ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ କହିଛନ୍ତି ଏଜେନ୍ସି ସବୁ ସୀମା ଲଙ୍ଘୁଛି । ଏପରିକି ଇଡି ସମ୍ବିଧାନର ବି ଉଲ୍ଲଂଘନ କରୁଥିବା ଅଭିଯୋଗ ରହିଛି । କୋର୍ଟ ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ତୁରନ୍ତ ରୋକ ଲଗାଇବାକୁ ଆଦେଶ ଦେଇଛନ୍ତି । ଏହା ସହିତ ଏଜେନ୍ସିକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଗୁୁରୁବାର ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ଶୁଣାଣି କରିଛନ୍ତି । ଆବେଦନରେ ମାଦ୍ରାସ ହାଇକୋର୍ଟଙ୍କ ପକ୍ଷରୁ ଇଡିକୁ ମିଳିଥିବା ତଦନ୍ତର ସ୍ୱାଧୀନତାକୁ ଚ୍ୟାଲେଞ୍ଜ କରାଯାଇଛି । ହାଇକୋର୍ଟ ଟାସମାକରେ ହୋଇଥିବା କଥିତ ଏକ ହଜାର କୋଟି ଟଙ୍କାର ଦୁର୍ନୀତିର ତଦନ୍ତ ପାଇଁ ଇଡିକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ।
ସିଜେଆଇ କହିଛନ୍ତି, ଏହି ଅପରାଧ ନିଗମ ବିରୋଧରେ କେମିତି ହୋଇ ପାରିବ ? ନିଗମ ବିରୋଧରେ ଅପରାଧିକ ମାମଲା, ଆପଣଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସବୁ ସୀମା ଲଙ୍ଘିଛନ୍ତି । ତେଣୁ କାର୍ଯ୍ୟାନୁଷ୍ଠାନ ଉପରେ ତୁରନ୍ତ ରୋକ ଲଗାଯାଉଛି । ଯେଉଁଠି ଅଧିକାରୀଙ୍କ ବିରୋଧରେ ଏଫଆଇଆର ରହିଛି, ସେଠାକୁ ଇଡି କାହିଁକି ଯାଉଛି । ଇଡି ସତ୍ୟପାଠ ଦାଖଲ କରୁ । ସିଜେଆଇ ଏହା ମଧ୍ୟ କହିଛନ୍ତି, ଇଡି ସମ୍ବିଧାନର ଉଲ୍ଲଂଘନ କରୁଛି ।
ଏହା ଉପରେ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ କହିଛନ୍ତି, ଏଠାରେ ବହୁତ ବଡ ଦୁର୍ନୀତି ହୋଇଛି । ମୋତେ ଜବାବ ଦାଖଲ କରିବାକୁ ଦିଅନ୍ତୁ । ଏହା ଉପରେ ସିଜେଆଇ କହିଛନ୍ତି, ଇଡି ସଂଘୀୟ ଢାଞ୍ଚାକୁ ଧ୍ୱଂସ କରୁଛି । ଶୁଣାଣି ପରେ ସୁପ୍ରିମକୋର୍ଟ ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଆଦେଶ ଜାରି କରିଛନ୍ତି ।
ମାର୍ଚ୍ଚରେ ଇଡି ଦାବି କରିଥିଲା ଯେ, ଟାସମାକର କାମରେ ଅନେକ ଅନିୟମିତତା ମିଳିଛି । ଏଥିରେ ୧୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ମାମଲାରେ ଇଡି ଲଗାତାର ଚଢଉ ଜାରି ରଖିଥିଲା । ଗତ ସପ୍ତାହ ଚଢଉ କରାଯାଇ ପିଏମଏଲଏ ଆଧାରରେ ୧୦ଟି ସ୍ଥାନରେ ତଲାସି ନିଆଯାଇଥିଲା ।