ପୂର୍ବ କେନ୍ଦ୍ରୀୟ ଆରବସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୃର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୩୬ ଘଣ୍ଟାରେ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । କର୍ଣ୍ଣାଟକ, ଗୋଆ ଉପକୂଳ ଅଞ୍ଚଳରେ ଏବେ ଲଘୁଚାପ ସକ୍ରିୟ ରହିଛି । ଏହା କ୍ରମଶଃ ଉତ୍ତର ଦିଗରେ ଗତି କରି ଆହୁରି ଘନୀଭୂତ ହେବ । ଏହାର ପ୍ରଭାବରେ ପଶ୍ଚିମ ଉପକୂଳ ଗୁଜରାଟ, ଗୋଆ, କର୍ଣ୍ଣାଟକ ଏବଂ କେରଳରେ ସପ୍ତାହ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେପଟେ ବୁଧବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଆଜି (ଗୁରୁବାର) ଉଭୟ ଟୁଇନ୍ ସିଟିରେ ପାଗ କୋହଲା ରହିଛି । ବର୍ଷା ପରେ ରାଜ୍ୟବାସୀଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।
ଏହାରି ଭିତରେ ଆଜି ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗର, ମାଳଦ୍ବୀପ ଏବଂ ଦକ୍ଷିଣ ବଙ୍ଗୋପସାଗରର କେତେକ ଅଞ୍ଚଳ ସହ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗର ଅନେକ ଅଞ୍ଚଳକୁ ସ୍ପର୍ଶ କରିଛି। ଆଗକୁ ଦକ୍ଷିଣ ଆରବ ସାଗର କିଛି ଅଞ୍ଚଳ, ମାଳଦ୍ବୀପର କିଛି ଅଂଶ, ଲାକ୍ଷାଦ୍ବୀପର ଅନେକ ଅଞ୍ଚଳ, କେରଳ, ତାମିଲନାଡୁ, ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର କିଛି ଅଞ୍ଚଳ, ଉତ୍ତର ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କିଛି ଅଞ୍ଚଳକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି।