ବିକାନେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଲଗାମ ଆତଙ୍କୀ ହଲମାର ଏକ ମାସ ପୂର୍ତ୍ତି ଦିନ ରାଜସ୍ଥାନର ବିକାନେର ଗସ୍ତ କରିଛନ୍ତି । ଏଠାରେ ୨୬ ହଜାର କୋଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ୍ କରିଛନ୍ତି । ପିଏମ ମୋଦୀ କରଣୀ ମାତାଙ୍କ ଦର୍ଶନ ବି କରିଛନ୍ତି । ସେ ପୁନର୍ବିକଶିତ ଦେଶନୋକ ରେଲୱେ ଷ୍ଟେସନର ଉଦଘାଟନ କରିଛନ୍ତି । ପିଏମ ମୋଦୀ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ଏହା ସଂଯୋଗ ଯେବେ ବାଲାକୋଟରେ ଭାରତୀୟ ସେନା ଏୟାରଷ୍ଟ୍ରାଇକ କରିଥିଲା, ସେହି ସମୟରେ ବି ଆମର ପ୍ରଥମ ସଭା ରାଜସ୍ଥାନ ସୀମାରେ ହୋଇଥିଲା ।
ମୋଦୀ କହିଛନ୍ତି, ଅପରେସନ ସିନ୍ଦୂର ପରେ ଆମର ପ୍ରଥମ ସଭା ପୁଣି ଥରେ ରାଜସ୍ଥାନର ବିକାନେରରେ ଆପଣଙ୍କ ଗହଣରେ ହେଉଛି । ଦୁନିଆ ଦେଖିଲା ଯେବେ ସିନ୍ଦୂର ବାରୁଦରେ ପରିଣତ ହୁଏ ତେବେ ପରିଣାମ କଣ ହୁଏ ? ଏପ୍ରିଲ ୨୨ ତାରିଖ ହମଲାର ଜବାବରେ ଆମର ସେନା ୨୨ ମିନିଟରେ ଆତଙ୍କବାଦୀଙ୍କ ୯ ସବୁଠୁ ବଡ ଆତଙ୍କୀ କେନ୍ଦ୍ରକୁ ଧ୍ୱଂସ କରିଛନ୍ତି । ଆମ ସରକାର ତିନି ସେନାକୁ ପୂରା ସ୍ୱାଧୀନତା ଦେଇଥିଲେ । ସେନା ପାକିସ୍ତାନକୁ ମୁଣ୍ଡ ନୁଆଁଇବାକୁ ବିବଶ କରି ଦେଲେ । ଦେଶ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାକୁ ସଂକଳ୍ପ ନେଇଥିଲା ।
ପିଏମ ମୋଦୀ ରାଜସ୍ଥାନର ଉନ୍ନୟନମୂଳକ ପ୍ରକଳ୍ପ ଉପରେ କହିଛନ୍ତି ଯେ, ଆଜି ଏଠାରେ ବିଜୁଳି ସଂପର୍କିତ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଆମ ପାଇଁ ପାଣିର ମହତ୍ୱ କଣ ଏହି ଅଞ୍ଚଳର ଲୋକ ବେଶ ଭଲ ଭାବେ ଜାଣିଛନ୍ତି । ଗୋଟିଏ ପଟେ ଜଳସେଚନ ପ୍ରକଳ୍ପ ପୂରା କରାଯାଉଛି ଅନ୍ୟପଟେ ନଦୀକୁ ସଂଯୋଗ କରାଯାଉଛି । ରାଜସ୍ଥାନର ଅଦୌଗିକି ବିକାଶ ପାଇଁ ଡବଲ ଇଞ୍ଜିନ ସରକାର କାମ କରୁଛି ।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଆଜି ରାଜସ୍ଥାନର ଗାଁ ଗାଁରେ ଭଲ ସଡକ ନିର୍ମାଣ କରାଯାଉଛି । ରାଜ୍ୟରେ ରେଲୱେର ବିକାଶ ହେଉଛି । ବେରୋଜଗାରଙ୍କୁ ନିଯୁକ୍ତିର ସୁଯୋଗ ମିଳୁଛି । ଯେଉଁଠି ଭଲ ସଡକ ରହିଛି ସେଠାରେ ଉଦ୍ୟୋଗ ଆରମ୍ଭ ହେଉଛି । ରେଲୱେ ଆମର ଯୁବ ବର୍ଗଙ୍କୁ ବେଶ ଫାଇଦା ଦେଉଛି । ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ ପ୍ରକଳ୍ପର କାମ ଜାରି ରହିଛି । ରେଲୱେ ଷ୍ଟେସନର ଛବି ବଦଳିବାରେ ଲାଗିଛି ।