ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମ ଆକ୍ରମଣ ଆଜି ଏକ ମାସ ପୂରଣ କରିଛି । ଏପ୍ରିଲ ୨୨ , ମଙ୍ଗଳବାର, ଏହି ତାରିଖ ଆଉ ଏହି ଦିନ ସମସ୍ତ ଦେଶବାସୀଙ୍କ ହୃଦୟରେ ଯେମିତି ଘର କରି ଯାଇଛି । ସେଦିନ ସେ ମଙ୍ଗଳବାର ୨୬ ଜଣ ପର୍ଯ୍ୟଟକଙ୍କ ସହିତ ଭାରତ ମାତା ପାଇଁ ଯେମିତି ଅମଙ୍ଗଳ ହୋଇଯାଇଥିଲା । ରକ୍ତ ଆଉ ଲୁହରେ ଭିଜିଥିଲା ଭାରତର ଭୂସ୍ୱର୍ଗ କାଶ୍ମୀର । ପାହଡ଼ରେ ଛାତି ପିଟି କାନ୍ଦୁଥିଲେ ପତ୍ନୀ ଏବଂ କିଛି ନ ବୁଝି ପାରୁଥିବା କୁନି କୁନି ପିଲାମାନେ ଯେମିତି ବାକ୍ ଶୂନ୍ୟ ହୋଇପଡ଼ିଥିଲେ । ସତରେ ସେ ଦିନ, ସମୟ ଏବଂ ଦୃଶ୍ୟ କଥା ମନକୁ ଆସିଲେ ସତେ ଯେମିତି ଶରୀର ଲୋମ ଟାଙ୍କୁରୀ ଉଠୁଛି ।
ଆଜ୍ଞା ହଁ, ସେଦିନ ଥିଲା ଏପ୍ରିଲ ୨୨ , ମଙ୍ଗଳବାର, କିଏ ଖୁସିରେ କାଶ୍ମୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଯାଇଥିଲା ତ ଆଉ କିଏ ନିଜ ବୈବାହିକ ଜୀବନର ପ୍ରଥମ ସ୍ମୃତି ସାଇତି ରଖିବାକୁ ଯାଇଥିଲା । ସବୁକିଛି ଠିକ୍ ଠାକ୍ ଚାଲିଥିଲା । ହଠାତ୍ ପହଲଗାମର ପ୍ରାକୃତିକ ସବୁଜ ବନାନୀ ଭିତରୁ ଶୁଭିଥିଲା ଗୁଳିର ଗର୍ଜନ । କେହି କିଛି ବି ବୁଜି ପାରି ନ ଥିଲେ । ପ୍ରଥମେ ପଚରା ଯାଇଥିଲା, ତୁମେ କେଉଁ ଧର୍ମର ? ତୁମେ କଲମା ପଢ଼ି ଶିଖିଛ କି ନାହିଁ ? ତୁମ କପଡ଼ା ଖୋଲି ଦେଖାଓ । ଆଉ ଯେଉଁଠି ଉତ୍ତର ନାଁରେ ଆସିଥିଲା, ସେଠି ଫୁଟି ଥିଲା ଗୁଳି । କିଏ ନିଜ ଜୀବନ ବଞ୍ଚାଇବାକୁ କଲମା ପଢ଼ିଥିଲା । ତ ଆଉ କେଉଁ ସ୍ତ୍ରୀ, ସ୍ୱାମୀ ବଞ୍ଚି ଥାଉ ଥାଉ ନିଜ ହାତରେ ମଥାରୁ ସିନ୍ଦୂର ପୋଛି ଦେଇଥିଲା ।
ତଥାପି ସେ ପିଶାଚଙ୍କ ମନ ଭରି ନ ଥିଲା । ଭାରତର ଭୂସ୍ୱର୍ଗରେ ଧର୍ମ ନାଁରେ କରିଥିଲେ ନରସଂହାର । ଆଉ ପହଲଗାମର ମାଟି ରକ୍ତରେ ଭିଜିଥିଲା । ଆଉ ଶେଷରେ କହି ଗଲେ “ତୁ ବଞ୍ଚିଥା, ତୁମ ମୋଦୀକୁ ଯାଇ କହିଦେବୁ” । ଏମିତି ଗୋଟି ଗୋଟି କରି ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣ ନେଇଥିଲେ ପିଶାଚରୂପୀ ଆତଙ୍କବାଦୀ । ସେପଟେ ସ୍ୱାମୀକୁ ବଞ୍ଚାଇବାକୁ ସ୍ତ୍ରୀ ବୁଲି ବୁଲି ନେହୁରା ହେଉଥିଲା, ଆଉ କିଏ ସ୍ୱାମୀର ମର ଶରୀର ପାଖରେ ବସି ଭାବୁଥିଲା, “ଏ କ’ଣ ଘଟିଗଲା” । ସ୍ମୃତି ସାଉଁଟିବାକୁ ପର୍ଯ୍ୟଟକ ନିଜେ ଅଭୂଲା ସ୍ମୃତି ହୋଇ ଫେରିଲେ । ଆଉ ଯିଏ ବଞ୍ଚିଗଲା ତା ମନରେ ଏକ ‘କଳା କାହାଣୀ’ ମନରେ ଘର କରି ରହିଗଲା ।
ଯେତେବେଳେ ଗଣମାଧ୍ୟମରେ ଯେତେବେଳେ ଖବର ପ୍ରସାରଣ ହେଲା, ସାରା ଦେଶ ନିସ୍ତବ୍ଦ ଓ ନୀରବ ରହିଗଲା । କେମିତି କେହି ଧର୍ମ ନାଁରେ ନରସଂହାର କରିପାରେ ? ଆଉ ତା ପରେ ସାରା ଦେଶରେ ଜଳି ଥିଲା ପ୍ରତିଶୋଧର ନିଆଁରେ । କିଏ ସୁରକ୍ଷା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କଲା ତ ଆଉ କିଏ ଗୁଇନ୍ଦା ବିଭାଗ ଉପରେ ପ୍ରଶ୍ନ ଉଠାଇଲା । କିନ୍ତୁ ସମସ୍ତଙ୍କ ମୁହଁରୁ ବାହାରିଥିଲା ଗୋଟିଏ ଶବ୍ଦ ‘ପ୍ରତିଶୋଧ’ । ଆତଙ୍କବାଦୀକୁ ଉଚିତ୍ ଜବାବ ଦିଅ । ଆତଙ୍କବାଦୀକୁ ସମୂଳେ ନାଶ କର ।