ନୂଆଦିଲ୍ଲୀ: ଭାରତକୁ ପାକିସ୍ତାନ ଓ ଚୀନ ସହିତ ନିଜର ସୁରକ୍ଷା ଚିନ୍ତାକୁ ଦୂରରେ ରଖି ଆର୍ଥିକ ସହଯୋଗ ଉପରେ ଧ୍ୟାନ ଦେବା ଉଚିତ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାଶ୍ଚାତ୍ୟ ଦେଶର କିଛି ବିଶ୍ଳେଷକଙ୍କ ଏମିତି ବୟାନ ଉପେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ବହୁତ ସ୍ପଷ୍ଟ ଶବ୍ଦରେ ଜବାବ ଦେଇଛନ୍ତି । ଜୟଶଙ୍କର କହିଛନ୍ତି, ଭାରତ ପାଇଁ ରାଷ୍ଟ୍ରୀୟ ସୁରକ୍ଷା ସର୍ବୋପରି । କୌଣସି ବି ସରକାର ପାଇଁ ନିଜ ଦେଶର ଭୌଗୋଳିକ ସୀମାର ସୁରକ୍ଷା କରିବା ପ୍ରଥମ କର୍ତ୍ତବ୍ୟ ।
ପାଶ୍ଚାତ୍ୟ ଦେଶଗୁଡିକୁ ଜୟଶଙ୍କର କହିଛନ୍ତି, ସେମାନ ଭାରତର ସୁରକ୍ଷା ଚିନ୍ତାକୁ ବୁଝି ପାରିବେ ନାହିଁ । କାରଣ ସୋଭିଏତ ସଂଘର ବିଘଟନ ପରେ ଏହି ଦେଶ ବହୁତ ସୁରକ୍ଷିତ ମାହୋଲରେ ଥିଲେ । କିନ୍ତୁ ଏବେ ରୁଷ-ୟୁକ୍ରେନ ଯୁଦ୍ଧ ସେମାନଙ୍କୁ ସୁରକ୍ଷା ସଂପର୍କରେ ବିଚାର କରିବାକୁ ପଡୁଛି । ଭାରତର ଏବେ ବଡ ନୀତି ଦେଶ ବିରୋଧୀ ଆତଙ୍କୀ ଯେଉଁଠି ଥିବେ ଆମେ ସେଠି ପଶି ମାରିବୁ ।
ନେଦରଲାଣ୍ଡର ଏନଓଏସ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ପ ଏହି ସଙ୍କେତ ଦେବାକୁ ଚାହୁଁଛନ୍ତି ଯେ, ଯଦି ଭାରତ ଚୀନ ଓ ପାକିସ୍ତାନ ସହ ନିଜର ତିକ୍ତତାକୁ କମ କରି ସେମାନଙ୍କ ସହ ଆର୍ଥିକ ସମ୍ବନ୍ଧକୁ ପ୍ରୋତ୍ସାହନ ଦେବ ତେବେ ସଭିଏ ଧନୀ ହୋଇ ପାରିବେ । ଏହି ପ୍ରଶ୍ନର ଜବାବରେ ଉପରୋକ୍ତ ଟିପ୍ପଣୀ କରିଛନ୍ତି ଜୟ ଶଙ୍କର ।
ଅପରେସନ ସିନ୍ଦୂର ପରେ ଜୟଶଙ୍କରଙ୍କ ମିଡିଆକୁ ଏହା ପ୍ରଥମ ସାକ୍ଷାତକାର । ଏହା ସହିତ ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଭାରତ ନିଜର ଆର୍ଥିକ ବିକାଶକୁ ଅଣଦେଖା କରି ପାରିବ ନାହିଁ । ସେ କହିଛନ୍ତି, ଆର୍ଥିକ ପ୍ରଗତି ଯେ କୌଣସି ଦେଶର ଆଧାରଭୂତ ତତ୍ୱ ଉପରେ ନିର୍ଭର କରେ । ଭାରତ ସଠିକ ରାସ୍ତାରେ ଅଛି । ଆମେ ଲଗାତାର ୬ରୁ୮ ପ୍ରତିଶଥ ଆର୍ଥିକ ବିକାଶ ହାର ହାସଲ କରିବା ସ୍ଥିତିରେ ଅଛୁ । ଭାରତର ଜନସଂଖ୍ୟା ସ୍ଥିତି ବେଶ ଭଲ ରହିଛି । ଆମେ ଚାରି ଟ୍ରିଲିୟନ ଡଲାରର ଅର୍ଥନୀତି ହେବାକୁ ଯାଉଛୁ ।