ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଅନ୍ତର୍ଗତ କିସ୍ତୱାରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । କିସ୍ତୱାରର ଚାଟରୁ ଅନ୍ତର୍ଗତ ସିଂହପୋରା ଅଞ୍ଚଳରେ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହା ସହିତ ଜଣେ ସୈନିକ ଆହତ ହୋଇଥିବା ଜଣାପଡ଼ିଛି ।
କିସ୍ତୱାର ଅଞ୍ଚଳରେ ୩ ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ସେନା ପକ୍ଷରୁ ତଲାସୀ ଅଭିଯାନ କରାଯାଇଛି । ଉଭୟ ପକ୍ଷ ମଧ୍ୟରୁ ବିପୁଳ ପରିମାଣରେ ଗୁଳି ଚାଳନା ହୋଇଥିଲା । ସେନାର ଗୁଳିରେ ୨ ଜଣ ଆତଙ୍କବାଦୀ ଟଳିଥିବା ସୂଚନା ମିଳିଛି । ଆହୁରି ଆତଙ୍କବାଦୀ ଲୁଚି ରହିଥିବା ନେଇ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ପୂର୍ବରୁ ମେ ୧୬ ତାରିଖରେ, ଜମ୍ମୁ କାଶ୍ମୀରର କେଲାର, ଶୋପିଆନ ଏବଂ ତ୍ରାଲରେ ଦୁଇଟି ପୃଥକ ଅପରେସନରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଭାରତୀୟ ସେନା ଦ୍ୱାରା ଜମ୍ମୁ କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ସହଯୋଗରେ ଏହି ଅପରେସନ କରାଯାଇଥିଲା।