ଭୁବନେଶ୍ୱର: ବଡ଼ଗଡ଼ ବିଜେଡ଼ି କର୍ପୋରେଟରଙ୍କ ଦୌରାତ୍ମ୍ୟ । ନିଜ ସମର୍ଥକଙ୍କ ସହିତ ଆସି ଭୁବନେଶ୍ୱର ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନରଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡକୁ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ୪୪ ନମ୍ବର ୱାର୍ଡର କର୍ପୋରେଟର୍ ଅଜିତ ଦାସଙ୍କ ବିରୁଦ୍ଧରେ ବଡ଼ଗଡ଼ ପୋଲିସ ନିକଟରେ ଦୁଇଟି ଏତଲା ଦିଆଯାଇଥିବା ଜଣାପଡ଼ିଛି । ଏହା ସହିତ ଆଜି ବିଏମସି କାର୍ଯ୍ୟାଳୟ ପରିସରରେ କର୍ପୋରେଟରଙ୍କ ଇସ୍ତଫା ଦାବିରେ ମେୟର କାର୍ଯ୍ୟାଳୟ ଘେରାଉ କରାଯାଇଛି ।
ଗତକାଲି ବଡ଼ଗଡ଼ ୪୩ ଏବଂ ୪୪ ୱାର୍ଡରେ ନିର୍ବାଚନ କାର୍ଯ୍ୟକ୍ରମ ଥିଲା । ଏନପୋର୍ସମେଣ୍ଟ ସ୍କ୍ୱାର୍ଡ ଟିମ୍ ସୁରକ୍ଷାରେ ସେଠାରେ ନିୟୋଜିତ ହୋଇଥିଲେ । ଏହି ସମୟରେ ଜଣେ ସୁରକ୍ଷା କର୍ମୀ କର୍ପୋରେଟର୍ ଅଜିତ ଦାସଙ୍କୁ ଚିହ୍ନି ନ ପାରି କାଗଜପତ୍ର ଯାଞ୍ଚ କରିବାକୁ ମାଗିଥିଲେ । ଏହି ସମୟରେ କର୍ପୋରେଟର୍ ରାଗି ଯାଇ କହିଥିଲେ, ମୁଁ ଜଣେ କର୍ପୋରେଟର୍, ମୋତେ ଚିହ୍ନି ନାହଁ କି ? ଉକ୍ତ ସୁରକ୍ଷାକର୍ମୀ ଜଣକ ଚିହ୍ନି ନାହାଁନ୍ତି ବୋଲି କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହି ସମୟରେ କର୍ପୋରେଟର୍ ଅଜିତ ଦାସ ଉପସ୍ଥିତ ଆସିଷ୍ଟାଣ୍ଟ କମିଶନରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏହା ସହିତ ଉକ୍ତ ସୁରକ୍ଷା କର୍ମୀଙ୍କୁ ନିଜର ସମର୍ଥକଙ୍କୁ ଲଗାଇ ନିସ୍ତୁକ ମାଡ଼ ମାରିଥିଲେ । ସେ ଯେକୌଣସି ପ୍ରକାର ନିଜର ପ୍ରାଣ ବଞ୍ଚାଇ ଚାଲି ଯାଇଥିଲେ ।
ଏ ନେଇ ସୁରକ୍ଷାକର୍ମୀ ପକ୍ଷରୁ ବଡ଼ଗଡ଼ ଥାନାରେ ଦିଆଯାଇଛି । ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆଜି ଦାବି କରାଯାଇଛି । ଅଜିତ ଦାସଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।