କଳାହାଣ୍ଡି: ବନ ବିଭାଗରେ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ । ବନୀକରଣ ନାଁରେ ଖାଇଗଲେ ଲକ୍ଷାଧିକ ଟଙ୍କା । ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଏକକାଳୀନ ୪ ଜଣ ବନ ଅଧିକାରୀଙ୍କ ଗିରଫ କରିଛି । ଗିରଫ ବନ ଅଧିକାରୀ ହେଲେ ଜୟପାଟଣା ଡେପୁଟି ରେଞ୍ଜର୍ ଶ୍ରୀମତି ସୈରେନ୍ଦ୍ରି ବାଗ, ୨ ଫରେଷ୍ଟର୍ ଉମେଶ ରାଉତ ଓ ଦେବରାଜ ସୁନାନୀ ଏବଂ ଫରେଷ୍ଟ ଗାର୍ଡ ଅଶୋକ ସାହୁ । ଅନ୍ୟ ଜଣେ ଫରେଷ୍ଟ ଗାର୍ଡ ଲଳିତ ନାୟକ ଫେରାର ଅଛନ୍ତି । ପ୍ରାୟ ୮୦ ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି ।
୨୦୨୩-୨୪ ବର୍ଷରେ ବନୀକରଣ ନାଁରେ ହୋଇଥିଲା ବଡ଼ ଦୁର୍ନୀତି ହୋଇଛି । କଳାହାଣ୍ଡି ଜିଲ୍ଲା ସାଉଥ୍ ଫରେଷ୍ଟ ଡିଭିଜନରେ ‘କ୍ଷତିପୂରଣ ବନୀକରଣ ଯୋଜନା’ ଅଧିନରେ ବନୀକରଣ ପାଇଁ ଆସିଥିବା ଟଙ୍କାରୁ ୭୯ ଲକ୍ଷ ୫୪ ହଜାର ୬୩୫ ଟଙ୍କା ହେରଫେର ହୋଇଥିବା ଜଣାପଡ଼ିଛି । ଗଛ ଲଗାଇବାକୁ ଆସିଥିବା ଟଙ୍କା ହଡ଼ପ କରାଯାଇଛି । ଚମ୍ପାଚୁଆନ-୧ର ୧୬୦୦ ହେକ୍ଟର ଜମିରୁ ମାତ୍ର ୭୧.୦୬୬ ହେକ୍ଟର ଜମିରେ ଚାରା ରୋପଣ କରାଯାଇଥିବାବେଲେ ଆସିଥିବା ଟଙ୍କାରୁ ୪୩ କୋଟି, ୭୫ ହଜାର, ୬୩୪ କୋଟି ହଡ଼ପ ହୋଇଛି । ସେହିପରି ଚମ୍ପାଚୁଆନ-୨ରେ ୧୬୦୦ ହେକ୍ଟର ଜମି ପାଇଁ ଆସିଥିବା ବନୀକରଣ ଟଙ୍କାରୁ ୬ ଲକ୍ଷ ୬୭ ହଜାର ୪୪୬ ଟଙ୍କା ଆତ୍ମସାତ୍ ହୋଇଛି । ଖମରପଦର ତିନୋଟି ସ୍ଥାନର ବନୀକରଣ ପାଇଁ ଆସିଥିବା ଟଙ୍କାରୁ ୧୨ ଲକ୍ଷ ୭୬ ହଜାର ୨୯୧ ଟଙ୍କା, ୧୧ ଲକ୍ଷ ୨୨ ହଜାର ୭୪୫ ଏବଂ ୫ ଲକ୍ଷ ୧୨ ହଜାର ୫୧୯ ହଡ଼ପ କରାଯାଇଛି ।
ଏହାର ଖୋଳତାଡ଼ କରି ଭିଜିଲାନ୍ସ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିଛି । ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଡେପୁଟି ରେଞ୍ଜର୍ ସୈରେନ୍ଦ୍ରି ବାଗ, ଉମେଶ ରାଉତ, ଦେବରାଜ ସୁନାନୀ ଓ ଅଶୋକ ସାହୁଙ୍କ ଗିରଫ କରାଯାଇଛି । ଏମାନଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ବିଏନ୍ଏସ୍ ୩୧୬ (୫), ୩୧୮ (୪), ୩୩୬ (୩), ୩୪୦ (୨) ଏବଂ ୬୧(୨) ଆଧାରରେ ମାମଲା ରୁଜୁ କରାଯାଇଛି । ସେମାନଙ୍କୁ ଭବାନୀପାଟଣାସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି । ଫରେଷ୍ଟ ଗାର୍ଡ ଲଳିତ ନାୟକଙ୍କୁ ଧରିବା ଏବଂ ଅନ୍ୟମାନଙ୍କ ସମ୍ପୃକ୍ତି ଯାଞ୍ଚ କରିବା ପାଇଁ ପ୍ରୟାସ ଜାରି ରହିଛି । ଏହି ତଦନ୍ତରେ ୪ଟି ଟିମରେ ମୋଟ ୨୫ ଜଣ ଅଧିକାରୀ ସାମିଲ ଥିଲେ ।