ନୂଆଦିଲ୍ଲୀ: ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାକିସ୍ତାନକୁ କଡ଼ା ଚେତାବନୀ ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ‘ଭାରତ କଶ୍ମୀର ଉପରେ କାହାର ମଧ୍ୟସ୍ଥତା ଗ୍ରହଣ କରେ ନାହିଁ।’ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କୁ ଜବାବ ଦେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଜମ୍ମୁ-କଶ୍ମୀର କେବଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ପ୍ରସଙ୍ଗ ଏବଂ ଏବେ କେବଳ ପାକିସ୍ତାନ ଅଧିକୃତ (ପିଓକେ) ଖାଲି କରିବା ପ୍ରସଙ୍ଗ। ଆମର ଦୀର୍ଘ ଦିନରୁ ଜାତୀୟ ଆଭିମୁଖ୍ୟ ରହିଆସିଛି ଯେ ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡିତ ଯେକୌଣସି ପ୍ରସଙ୍ଗ ଭାରତ ଏବଂ ପାକିସ୍ତାନ ଦ୍ୱିପାକ୍ଷିକ ଭାବେ ସମାଧାନ କରିବାକୁ ପଡିବ । ଏହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ବିଚାରଧୀନ ମାମଲା ହେଉଛି ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଅଧିକୃତ ଭାରତୀୟ ଅଞ୍ଚଳ POK କୁ ଖାଲି କରିବା ।’’
ସାମ୍ପ୍ରତିକ ‘ଅପରେସନ ସିନ୍ଦୁର’ ଅଧୀନରେ ଭାରତ ପାକିସ୍ତାନ ଏବଂ PoKରେ ଥିବା ଆତଙ୍କବାଦୀ ଠିକଣା ଉପରେ କାର୍ଯ୍ୟାନୁଷ୍ଠାନ କରିଥିଲା। ଏହା ପରେ ପାକିସ୍ତାନ ପକ୍ଷରୁ ଭାରତ ବିରୋଧରେ ଡ୍ରୋନ ଆକ୍ରମଣ ସମେତ ଅନେକ ଆକ୍ରମଣ ହୋଇଥିଲା, ଯାହାକୁ ଭାରତ ଦୃଢ଼ତାର ସହ ମୁକାବିଲା କରିଥିଲା। ଶେଷରେ ପାକିସ୍ତାନ ସିଜଫାୟାର ପାଇଁ ଅନୁରୋଧ କରିଥିଲା। ଏହି ଘଟଣାକ୍ରମ ପରେ ଭାରତ ପୁନର୍ବାର ସ୍ପଷ୍ଟ କରିଛି ଯେ, ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ଏବଂ ଏ ସମ୍ପର୍କରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣୀୟ ହେବ ନାହିଁ।
ରଣଧୀର ଜୟସୱାଲ କହିଛନ୍ତି, ‘‘ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ବୟାନ ଆମେ ଦେଖିଛୁ । ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ ଭାବୁଛି ବଞ୍ଚିଯିବ , ତା’ହେଲେ ପାକିସ୍ତାନଠୁ ବୋକା ବୋଧେ କେହି ନୁହେଁ । ଭାରତ ଯେଉଁ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଛି, ତାହା କେବଳ ଭାରତୀୟଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱରେ ଅନେକ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ଥିଲା । ପାକିସ୍ତାନ ଯେତେ ଶୀଘ୍ର ଏହାକୁ ବୁଝିବ, ତାହା ତାଙ୍କ ପାଇଁ ସେତେ ଭଲ ହେବ ।’’