ମିଲୱାକି: ଆମେରିକାର ମିଲୱାକିସ୍ଥିତ ଏକ କୋଠାରେ ହଠାତ୍ ନିଆଁ ଲାଗିଛି। ଏକ ଛୋଟ ସ୍ଥାନରେ ଆରମ୍ଭ ହୋଇଥିବା ନିଆଁ ଦ୍ରୁତଗତିରେ ବ୍ୟାପି ଗୋଟିଏ ପରେ ଗୋଟିଏ ଅନେକ ମହଲା ନିଆଁରେ ପୋଡ଼ିଛି। ରବିବାର ଘଟିଥିବା ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହା ବ୍ୟତୀତ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି, ଯେଉଁମାନେ ଚିକିତ୍ସାଧୀନ ଅଛନ୍ତି।
ଏହି ଘଟଣାଟି ମାତୃତ୍ବ ଦିବସରେ (ମେ ୧୧ ତାରିଖ ସକାଳ ୮ଟା) ଘଟିଥିଲା। ନିଆଁ ଲାଗିବା ପରେ କୋଠାକୁ ବଡ଼ଧରଣର କ୍ଷତି ପହଞ୍ଚାଇଛି।
ମିଲୱାକି ଅଗ୍ନିଶମ ବିଭାଗ ମୁଖ୍ୟ ଆରନ୍ ଲିପସ୍କି ଏକ ସାମ୍ବାଦିକ ସମ୍ମିଳନୀ ସମୟରେ କହିଛନ୍ତି, ଏହି କୋଠାରେ ୮୫ଟି ୟୁନିଟ୍ ଥିଲା, କିନ୍ତୁ ଅଗ୍ନିକାଣ୍ଡ ଯୋଗୁଁ ଏହା ଆଉ ରହିବା ପାଇଁ ଉପଯୁକ୍ତ ନୁହେଁ। ୨୦୦ରୁ ଅଧିକ ଲୋକଙ୍କୁ ଏଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଲିପସ୍କିଙ୍କ ଅନୁଯାୟୀ, ଅଗ୍ନିକାଣ୍ଡ ଘଟିବା ପରେ, କୋଠାର ଚତୁର୍ଥ ଏବଂ ଦ୍ୱିତୀୟ ମହଲାରେ ଥିବା ଲୋକମାନେ ତଳକୁ ଡେଇଁବା ଆରମ୍ଭ କରିଥିଲେ। ଏସବୁ ଦେଖି ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ। ତଥାପି, ଆମ ଦଳ ପହଞ୍ଚିବା ବେଳକୁ ନିଆଁ ଭୟଙ୍କର ରୂପ ନେଇସାରିଥିଲା।
ଲିପସ୍କି କହିଛନ୍ତି, ଦମକଳ ଗାଡ଼ି ସାହାଯ୍ୟରେ ଝରକା ପାଖରେ ଠିଆ ହୋଇଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏହା ସହିତ, ଅଗ୍ନିଶମ ଦଳର କିଛି ଲୋକ କୋଠା ଭିତରକୁ ଯାଇ ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରିଥିଲେ। ଏହି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ପ୍ରାୟ ୩୦ ଜଣଙ୍କୁ ଉଦ୍ଧାର କରିଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଲିପସ୍କି କହିଛନ୍ତି ଯେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ଦୁର୍ଘଟଣାର କାରଣ ଖୁବ୍ ଶୀଘ୍ର ଜଣାପଡିବ। ବର୍ତ୍ତମାନ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣ ପରେ ପ୍ରଥମ ଥର ପାକିସ୍ତାନ ଫୁଟାଇନି ଗୁଳି