ଭୁବନେଶ୍ୱର: ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଦ୍ୱାଦଶ ପରେ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ପାସ୍ ହାର ସାମାନ୍ୟ ଅଧିକ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଏଥର ଆଗରେ ଅଛନ୍ତି । ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ତୁଳନାରେ ୫.୯୪% ଅଧିକ ରହିଛି । ସେହିପରି ଦଶମ ପରୀକ୍ଷାରେ ଛାତ୍ରୀମାନେ ବାଜି ମାରିଛନ୍ତି । ସର୍ବ ଭାରତୀୟ ସ୍ତରରେ ୯୩.୬୬ ପ୍ରତିଶତ ପାସ୍ ହାର ରହିଛି । ଯେଉଁଥିରେ ଛାତ୍ରୀଙ୍କ ପାସ୍ ହାର ୯୫ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍ ହାର ୯୨.୬୩ ପ୍ରତିଶତ ରହିଛି । ଏନେଇ ସବୁ ଛାତ୍ରୀଙ୍କ ମଧ୍ୟରେ ଖୁସି ଓ ଆନନ୍ଦ ଭରି ଯାଇଛି ।
ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି ଯେ, " ସିବିଏସ୍ଇ ବୋର୍ଡର ଦ୍ୱାଦଶ ଏବଂ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେମାନଙ୍କର ଉଲ୍ଲାସ, ପରିଶ୍ରମ, ସମର୍ପଣ ଏବଂ ଧୈର୍ଯ୍ୟକୁ ଖୁସିରେ ପାଳନ କରିବାର ଦିନ । ବିଗତ ବର୍ଷ ଧରି ଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ସହିତ ଚଳିତବର୍ଷ ମଧ୍ୟ ବହୁତ ଭଲ କରିଛନ୍ତି। ଏହା ଏକ ଉଦୀୟମାନ ଭାରତର ଏକ ଦୃଢ଼ ପ୍ରତିଫଳନ ଯେଉଁଠାରେ ଛାତ୍ରୀମାନଙ୍କ ଆକାଂକ୍ଷା ସଫଳତାରେ ପରିଣତ ହେଉଛି। ସିବିଏସଇ ଦ୍ୱାଦଶରେ ପାସ ହାର ୮୮.୩୯ ପ୍ରତିଶତ ଏବଂ ସିବିଏସଇ ଦଶମରେ ୯୩.୬୬ ପ୍ରତିଶତ ରହିଛି। ଏହି ସଫଳତା ପୂର୍ବ ବର୍ଷମାନଙ୍କ ଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇଛି। ସମସ୍ତ ଛାତ୍ରଛାତ୍ରୀମାନେ ଆଗାମୀ ଦିନମାନଙ୍କରେ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ପରାମର୍ଶ ଦେବା ସହ ଶ୍ରୀ ପ୍ରଧାନ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।"