ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ବିମାନ ଆକ୍ରମଣ କରିଥିଲା ଏବଂ ନଅଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା। ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ରଫିକି, ମୁରିଦ, ନୁର ଖାନ, ଚୁନିଆନ (ପଞ୍ଜାବ) ଏବଂ ସୁକ୍କୁରସ୍ଥିତ ଏୟାର ଫୋର୍ସ ବେସଗୁଡ଼ିକୁ ଟାର୍ଗେଟ କରିଥିଲା। ପାକିସ୍ତାନ ଏହାକୁ ମିଛ ବୋଲି କହୁଥିବା ବେଳେ ଏବେ ସତ ପଦାକୁ ଆସିଛି। କାରଣ ସାଟେଲାଇଟ୍ ଇମେଜ୍ ପାକିସ୍ତାନର ମିଛ ଧରା ପକେଇଦେଇଛି।
ସୂଚନା ମୁତାବିକ ମେ ୧୦ ତାରିଖରେ ଭାରତ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣରେ ପାକିସ୍ତାନ ବାୟୁସେନା (PAF)ର ଚାରୋଟି ପ୍ରମୁଖ ବାୟୁସେନା ଘାଟି ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଭାରତୀୟ ଘରୋଇ ସାଟେଲାଇଟ୍ ଫାର୍ମ KAWASPACE ଏବଂ ଚୀନ୍ ଫାର୍ମ MizhaVision ଦ୍ୱାରା ଜାରି କରାଯାଇଥିବା ଉଚ୍ଚ-ରିଜୋଲ୍ୟୁସନ୍ ସାଟେଲାଇଟ୍ ଚିତ୍ର ଆକ୍ରମଣକୁ ନିଶ୍ଚିତ କରିଛି। ଏହି ଆକ୍ରମଣରେ ଭାରତ ଏୟାର-ଲଞ୍ଚଡ୍ କ୍ରୁଜ୍ ମିସାଇଲ୍ (ALCM), ସମ୍ଭବତଃ ବ୍ରହ୍ମୋସ୍ ବ୍ୟବହାର କରିଥିଲା।
ପାକିସ୍ତାନ ଏୟାର ଫୋର୍ସ ବେସ ନୁର ଖାନ, ଯାହା ରାୱାଲପିଣ୍ଡିର ଚକଲାଲାରେ ଅବସ୍ଥିତ, ପାକିସ୍ତାନର ରାଜଧାନୀ ଇସଲାମାବାଦଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି। ନୁର ଖାନ ଏୟାର ବେସ ଏହି ବେସଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ପାକିସ୍ତାନର ମୁଖ୍ୟ ପରିବହନ ସ୍କ୍ୱାଡ୍ରନଗୁଡ଼ିକର ଘର ଅଟେ। ଏହା ଲଜିଷ୍ଟିକାଲ ଏବଂ ରଣନୀତିକ ଏୟାରଲିଫ୍ଟ ଅପରେଶନ ପାଇଁ ବ୍ୟବହୃତ ହୁଏ। ଏଠାରେ C-130 ହରକ୍ୟୁଲିସ, ସାବ ୨୦୦୦ ପରି ପରିବହନ ବିମାନ, IL-78 ମିଡ୍-ଏୟାର ରିଫ୍ୟୁଏଲର ଏବଂ VIP ପରିବହନ ପାଇଁ ବିମାନ ରହିଛି।