ଭୁବନେଶ୍ୱର: ପୁଣି କିଟ୍ ପରିସରରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ । ଗତ କିଛି ମାସ ତଳେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିଲା କିଟ୍ । ସେ ମାମଲାର ଶୁଣାଣି ପୂରଣ ନ ହେଉଣୁ ଗୁରୁବାର ଆଉ ଜଣେ ଛାତ୍ରୀ ନିଜର ଜୀବନ ହରାଇଛନ୍ତି ।
ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ୭ଟା ସମୟରେ କିଟ୍ କ୍ୟାମ୍ପସ ପରିସରରେ ଥିବା ରାଣୀ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଛାତ୍ରୀ ଜଣକ ବିଟେକ୍ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତାଙ୍କ ଘର ନେପାଳ ସ୍ଥିତ ଵୀରଗଞ୍ଜ ବୋଲି ଜଣାପଡିଛି ।
ସୁରକ୍ଷା ଓ ନିରାପତ୍ତାକୁ ଧ୍ୟାନରେ ରଖି ଉକ୍ତ ହଷ୍ଟେଲ ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି । କିଟ୍ କର୍ତ୍ତୃପକ୍ଷଙ୍କ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଏହି ଘଟନା ସମ୍ପର୍କରେ ଖବର ପାଇବା ପରେ ଇନ୍ଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ୱର ଡିସିପି ଙ୍କ ସମେତ ପୋଲିସ କମିଶନର ଓ ଆଇପିଏସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛନ୍ତି । ଏହି ଘଟଣା ହତ୍ୟା କିମ୍ବା ଆତ୍ମହତ୍ୟା ସେ ସଂକ୍ରାନ୍ତରେ ତଦନ୍ତ ଚାଲୁ ରହିଛି ।
ପୋଲିସ କମିଶନର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, " ଖବର ପାଇ ପୋଲିସ ଓ ଫରେନ୍ସିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିସାରିଛନ୍ତି । ଏହି ଘଟଣା ସମ୍ପର୍କରେ ନେପାଳ ଦୂତାବାସ ଜରିଆରେ ଛାତ୍ରୀଙ୍କ ପରିବାରକୁ ଅବଗତ କରାଯାଇଛି । ପରିବାର ବର୍ଗ ଶୁକ୍ରବାର ଭୁବନେଶ୍ୱର ପହଞ୍ଚିବା ନେଇ ସୂଚନା ମିଳୁଛି।"
କିଟ୍ ବିଶ୍ବବିଦ୍ୟାଳୟରେ ଗତ ଫେବୃଆରୀ ମାସରେ ବିଟେକ ପାଠ୍ୟକ୍ରମର ତୃତୀୟ ବର୍ଷର ଛାତ୍ରୀ ଆତ୍ମହତ୍ୟା ଘଟଣା ପାଇଁ କିଟ୍ କର୍ତ୍ତୃପକ୍ଷ ବିବାଦ ଘେରରେ ଫସିବା ସହିତ ଦେଶବ୍ୟାପୀ ଏହି ଘଟଣା ଚର୍ଚ୍ଚା ଧରିଥିଲା ।