ବିଜାପୁର: ଛତିଶଗଡ଼ ସରକାରଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଚାଲୁ ରହିଛି ମାଓବାଦୀଙ୍କ ବିପକ୍ଷରେ ବଡ଼ ଆକ୍ସନ । ଏହି ମଧ୍ୟରେ ନକ୍ସଲମାନେ ଜଣେ କଂଗ୍ରେସ ନେତାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି । ଏହି ଘଟଣାଟି ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ଘଟିଛି । ପୋଲିସ ଅଧିକାରୀଙ୍କ ସୂଚନାରୁ ପ୍ରକାଶ ଘଟଣାଟି ଉସୁର ପୋଲିସ ଷ୍ଟେସନ ଅନ୍ତର୍ଗତ ମାରୁଦବାକା ଅଞ୍ଚଳରେ ଘଟିଛି । ମୃତକ ଜଣକ ହେଲେ ନାଗା ଭଣ୍ଡାରୀ । ସେ କଂଗ୍ରେସ ସହିତ ବହୁ ଦିନ ଧରି ଜଡ଼ିତ ଥିଲେ ।
ସୂଚନା ଅନୁଯାୟୀ ଏକ ଛୋଟ ନକ୍ସଲବାଦୀ ଦଳ ମାରୁଦବାକା ଅଞ୍ଚଳର ଲିଙ୍ଗାପୁର ଗ୍ରାମରେ କଂଗ୍ରେସହ ନେତାଙ୍କ ଉପରେ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଛି । ତାଙ୍କୁ ଘରୁ ଟାଣିନେଇ ଅମାନୁଷିକ ଭାବେ ମାରଣାସ୍ତ୍ର ଦ୍ୱାରା ବାରମ୍ବାର ଭୁସି ହତ୍ୟା କରାଯଇଛି । ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହିତ ଶବ ବ୍ୟବଛେଦ୍ଦ ପାଇଁ ପଠାଇଛି ।
କଂଗ୍ରେସ ନେତାଙ୍କୁ ଘରୁ ଟାଣି ଆଣି ହତ୍ୟା କରିବା ପରେ ନକ୍ସଲ ମାନେ ସେଠାରୁ ଘନ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିଲେ । ପୋଲିସ ଦଳ ଏନେଇ ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ଠିକଣା ଖୋଜିବା ଜାରି ରଖିଛନ୍ତି । ଏନେଇ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି କରାଯାଇଛି ।
ପୋଲିସ ସୂତ୍ରରୁ ପ୍ରକାଶ ନାଗ ଭଣ୍ଡାରୀଙ୍କ ପୂର୍ବରୁ ତାଙ୍କ ଭାଇ ତିରୁପତି ଭଣ୍ଡାରୀଙ୍କୁ ମଧ୍ୟ ପୁର୍ବରୁ ନକ୍ସଲମାନେ ହତ୍ୟା କରିଛନ୍ତି । ବସ୍ତର ଅଞ୍ଚଳରେ ମାଓବାଦୀ ବିରୋଧୀ କାର୍ଯ୍ୟକ୍ରମ ଚାଲିଥିବା ମଧ୍ୟରେ ଏପରି ଅଘଟଣ ଘଟିଯାଇଛି । ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ୨୦୨୬ ଜାନୁଆରୀ ୩୧ ତାରିଖ ସୁଦ୍ଧା ମାଓବାଦୀଙ୍କ ଗଡ଼ ନିପାତ କରାଯିବ । ମାଓବାଦୀ ପ୍ରବଣ ଅଞ୍ଚଳରେ ଲଗାତାର ସୁରକ୍ଷାକର୍ମୀଙ୍କ ବେସ କ୍ୟାମ୍ପ ନିର୍ମାଣ ଚାଲୁରହିଛି । ଯାହାଦ୍ୱାରା ଖୁବ ଶୀଘ୍ର ମାଓବାଦୀଙ୍କ ବଂଶ ନିପାତ କରାଯାଇ ପାରିବ ।