କୋରାପୁଟ: କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅଧୀନସ୍ଥ ଝୋଲାପୁଟ ଜଙ୍ଗଲରୁ ଟାପୁ ଭିତରେ ବିପୁଳ ପରିମାଣରେ ଗଞ୍ଜେଇ ତେଲ ମିଳିବା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ମାଷ୍ଟରମାଇଣ୍ଡ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତେ ସେହି ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ତିନି ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବାର ସଫଳ ହୋଇଛି ।
ଏହି ଗଞ୍ଜେଇ ତେଲ ଜବତ ମାମଲରା ଏସଆଇଟି ତଦନ୍ତ ଆରମ୍ଭ ହେବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି । କୋରାପୁଟ ଏସପିଙ୍କ ନେତୃତ୍ୱରେ ଏସଆଇଟି ଗଠନ ହେବ । ଏହି ଗଞ୍ଜେଇ ତେଲ କାରବାରର ଚେର କେରଳ ଯାଏ ଲମ୍ବିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ଅଭିଯୁକ୍ତ କେରଳର ଓ ଅନ୍ୟ ୨ ଜଣ ସ୍ଥାନୀୟ ଅଭିଯୁକ୍ତ ବୋଲି ଡିଆଇଜି କହିଛନ୍ତି ।
ପୋଲିସ ତଦନ୍ତରେ ପ୍ରକାଶ, ଅଭିଯୁକ୍ତମାନେ ଗଞ୍ଜେଇ ବହୁ ପରିମାଣରେ ସଂଗ୍ରହ କରି ଉଚ୍ଚ ପ୍ରଯୁକ୍ତି ମାଧ୍ୟମରେ ମଲ୍ଟି-ଷ୍ଟେଜ୍ ଏକ୍ସଟ୍ରାକ୍ସନ ପ୍ରକ୍ରିୟାରେ ହାଶିଶ ତେଲ ତିଆରି କରୁଥିଲେ। ଏହି କାମ ପାଇଁ ଗୁପ୍ତ ଲ୍ୟାବ୍ ସେଟ୍ଅପ୍ କରାଯାଇଥିବା ବେଳେ ପ୍ରେସର କୁକର, ପାଇପ୍, ଡ୍ରମ୍, ଏବଂ ଇସୋପ୍ରୋପିଲ୍ ଆଲକୋହଲ୍ ପରି ରାସାୟନିକ ପଦାର୍ଥ ବ୍ୟବହାର ହେଉଥିବା ଜଣାପଡ଼ିଛି। ଫର୍ମେଣ୍ଟେସନ୍, ଡିଷ୍ଟିଲେସନ୍ ଓ ନିୟନ୍ତ୍ରିତ ତାପ ପ୍ରକ୍ରିୟାରେ ଉଚ୍ଚ ଶୁଦ୍ଧତାର ତେଲ ପ୍ରସ୍ତୁତ କରାଯାଉଥିଲା।
ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଜୟରାଜ (୩୩) ଙ୍କ ସମେତ କେରଳର କିରଣ ଡି (୩୩), ଆନନ୍ଦ ରାଜ (୨୮), ବିଥୁ ବି (୩୪) ସିଣ୍ଡିକେଟ ସଦସ୍ୟ ଭାବେ ଜଡିତ ଥିବା ବେଳେ ମାଲକାନଗିରିର ଲଇଚନ ଖିଲ୍ଲା (୨୫) ଓ କୋରାପୁଟର ସାଧୁ ପାଙ୍ଗି (୪୫) ଲକ୍ଷ୍ମଣ ଖିଲ ( ୨୩) ସ୍ଥାନୀୟ ଲଜିଷ୍ଟିକ୍ସ ସହଯୋଗୀ ଭାବେ କାମ କରୁଥିବା ପୋଲିସ କହିଛି। ସମସ୍ତଙ୍କୁ ଆଦାଲତରେ ଉପସ୍ଥାପନ କରାଯାଇଛି।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଡିଆଇଜି (ଦକ୍ଷିଣାଞ୍ଚଳ)ଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଯୋଜନାବଦ୍ଧ ଚଢ଼ାଉ କରାଯାଇଥିଲା। ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲ ଅଞ୍ଚଳରେ ଚାଲୁଥିବା ଏକ ଅସ୍ଥାୟୀ ମାନୁଫ୍ୟାକ୍ଚରିଂ ୟୁନିଟ୍ ଉପରେ ଚଢ଼ାଉ କରି ୧୮୦ ଲିଟରରୁ ଅଧିକ ହାଶିଶ ତେଲ ବା ଗଞ୍ଜେଇ ତେଲ ଜବତ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୨୫ କୋଟି ଟଙ୍କା ହେବ । ଅଭିଯାନ ସମୟରେ ହାଶିଶ ତେଲ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ଉପକରଣ ମଧ୍ୟ ଜବତ କରାଯାଇଥିଲା । ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ୧ ଲିଟର ହାଶିଶ ତେଲର ବଜାର ମୂଲ୍ୟ ପ୍ରାୟ ୧ କେଜି ଗଞ୍ଜେଇ ମୂଲ୍ୟଠାରୁ ପ୍ରାୟ ୨୫ ଗୁଣ ଅଧିକ ଥିବାରୁ ଅପରାଧୀମାନେ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଏହା ପ୍ରସ୍ତୁତ କରୁଛନ୍ତି ।