କଟକ : ବହୁଚର୍ଚ୍ଚିତ ବାରଙ୍ଗ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ଥିଲା ଲୁଟେରା ଗ୍ୟାଙ୍ଗର ହାତ । ଏହି ହତ୍ୟା ମାମଲାରେ ରବିବାର ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତ ୯ ତାରିଖରେ ଦେବାନବଜାର ଅଂଚଳର ଶେଖ ରାହିଲ ବାରଙ୍ଗ ଗୋଡିସାହି ଅଂଚଳରେ ନିଜ ଗାଡିରେ ଯାଉଥିଲା ବେଳେ ଏହି ଗ୍ୟାଙ୍ଗ ଆକ୍ରମଣ କରିଥିଲା । ପ୍ରଥମେ ଗାଡିକୁ ଟ୍ରାକ କରିବା ଓ ପରେପରେ ଡ୍ରାଇଭର ଖସି ପଳାଉଥିଲା ବେଳେ ଗ୍ୟାଙ୍ଗ ଗାଡିକୁ ଅଟକାଇ ରାହିଲଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରିବା ପରେ ରାହିଲଙ୍କ ମୃତ୍ୟୁ ଘଟିଥିଲା।ଏହାପରେ ଗାଡିକୁ ପୋଡ଼ିଦେଇଥିଲେ ଡକାୟତି ଗ୍ୟାଙ୍ଗ । ଖବର ପାଇ ବାରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା ।
ସୂଚନାରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଦୀର୍ଘଦିନ ହେବ ଆଠଗଡ଼, ବଡ଼ମ୍ବା ଏବଂ ବାଙ୍କିରୁ କଟକ ଆସୁଥିବା ଯାତ୍ରୀବାହୀଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ । ସେମାନଙ୍କର ଅପରାଧିକ ଷଡ଼ଯନ୍ତ୍ର ଅନୁଯାୟୀ, ଗ୍ୟାଙ୍ଗର ସଦସ୍ୟ ଲିପୁ ଗୋଟିଏ ଗାଡ଼ି ଆସିବା ଜାଣି ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ । ଘଟଣା ଦିନ ମଧ୍ୟ ଅଭିଯୁକ୍ତମାନେ ଡକାୟତି କରିବା ଉଦ୍ଦେଶ୍ୟରେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଡ୍ରାଇଭର ପ୍ରଥମେ ସେମାନଙ୍କ ଠାରୁ ଖସିଯିବାରେ ସଫଳ ହୋଇଥିଲେ। ଏହାପରେ ଯୋଜନାଵଧ ଭାବରେ ରାସ୍ତାରେ କଣ୍ଟା ବିଛାଇଥିଲେ ଲୁଟେରା । ଯାହା ଫଳରେ ଆଗ ଏବଂ ପଛ ବାମ ଟାୟାର ପଙ୍କଚର ହୋଇଗଲା। କ୍ଷତି ସତ୍ତ୍ୱେ, ଅଭିଯୁକ୍ତମାନଙ୍କ ଦ୍ୱାରା ପିଛା କରାଯାଉଥିବା ସମୟରେ ଗୋଡିସାହି ବଜାର ପର୍ଯ୍ୟନ୍ତ ଗାଡି ଚଲାଇ ଚାଲିଥିଲେ ଚାଳକ ରାହିଲ। କିନ୍ତୁ ଗାଡି ରେ ଥିବା ଅନ୍ୟ ଦୁଇ ବ୍ୟକ୍ତି ଗାଡି ଛାଡି ପୁରୀ କେନାଲ ରୋଡ୍ ଦେଇ ମୁଣ୍ଡାଳି ଆଡକୁ ପଳାଇଥିଲେ। ଏହାପରେ ଅଭିଯୁକ୍ତମାନେ ଶେଖ ରାହିଲଙ୍କୁ ନଗଦ ଏବଂ ମୋବାଇଲ ଫୋନ୍ ଥିବା ପର୍ସ, ଜିନିଷପତ୍ର ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ପ୍ରତିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ କାଠ ବାଡ଼ି, ଷ୍ଟିଲ୍ ପାଇପ୍ ସାହାଯ୍ୟରେ ନିର୍ମମ ଭାବରେ ଆକ୍ରମଣ କରିଥିଲେ। ଆକ୍ରମଣର ଫଳସ୍ୱରୂପ, ଏସକେ ରାହିଲଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟାନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଲା ଓ ପରେପରେ ତାଙ୍କର ମୃତ୍ୟ ଘଟିଥିଲା।ଡକାୟତି କରିବା ପରେ, ଅଭିଯୁକ୍ତମାନେ ଗାଡ଼ିକୁ ନିଆଁ ଲଗାଇ ସେହି ସ୍ଥାନ ରୁ ଫେରାର ହୋଇଯାଇଥିଲେ । ତେବେ ତଦନ୍ତ ପରେ ଏହି ମାମଲାରେ ସ୍ଥାନୀୟ ଗୋଡିସାହି ଅଂଚଳର ୩ ଅଭିଯୁକ୍ତ ବାବୁ ପ୍ରସାଦ ସାହୁ ,ସୁନୀଲ ଯାଦବ ଓ ସୁଜିତ ବେହେରା ଥିଲା ବେଳେ ଅନ୍ୟ ଦୁଇ ଜଣ କଟକର ବିଭିନ୍ନ ଅଞ୍ଚଳର ବୋଲି ସ୍ପଷ୍ଟ କରିଛି ପୋଲିସ । ଏହି ମାମଲାରେ ଅଧିକ ତଦନ୍ତ ଜାରିରହିଥିବା କଟକ ଡିସିପି କହିଛନ୍ତି ।