ନୂଆଦିଲ୍ଲୀ: ଖୁବ୍ଶୀଘ୍ର ଭାରତୀୟ ସେନା ଆଉ ଏକ ବଡ଼ ଶକ୍ତି ପାଇବାକୁ ଯାଉଛି। କାରଣ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ହେଉ କି ମେ’ ୭ର ଏୟାର ଷ୍ଟ୍ରାଇକ, ମହାକାଶରେ ଥାଇ ସବୁ କିଛି ଉପରେ ନଜର ରଖିଥିଲା ଇସ୍ରୋର ଏକ ଉପଗ୍ରହ । ଯାହାର ଲାଟେଷ୍ଟ ଭର୍ସନ ଜୁନ ୧୮ ତାରିଖ ସକାଳ ୬ଟା ୫୯ ମିନିଟରେ ଉଦକ୍ଷେପଣ ହେବାକୁ ଯାଉଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧଓ୍ବନ ଅନ୍ତରୀକ୍ଷ କେନ୍ଦ୍ରରୁ ଏହି EOS-09 ଉପଗ୍ରହ ଉତକ୍ଷେପଣ ହେବ । ଯାହା RISAT-1B ନାମରେ ବି ପରିଚିତ । ଏବେ ଇସ୍ରୋ ଏହାକୁ ଉତକ୍ଷେପଣ କରିବାକୁ ପ୍ରସ୍ତୁତି ଶେଷ କରି ସାରିଛି । ଏହା ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ।
EOS-09 ଉପଗ୍ରହକୁ ପିଏସଏଲଭି-ସି୬୧ ଏକ୍ସଏଲ (PSLV-C61 XL) ରକେଟରେ ଉତକ୍ଷେପଣ କରାଯିବ । ଯାହା ପୃଥିବୀର କକ୍ଷରୁ ୫୨୯ କିମି ଉଚ୍ଚାରେ ସ୍ଥାପିତ ହେବ । ଏହାର ଓଜନ ୧୭୧୦ କେଜି ରହିଛି । ଏଥିରେ ସି-ବ୍ୟାଣ୍ଡ ସିନ୍ଥେଟିକ ଆପର୍ଚର ରାଡର (SAR) ରହିଛି । ଦିନ ହେଉ କି ରାତି, ପାଗ ଯେମିତି ବି ହୋଇଥାଉ ଏହା ହାଇ ରିଜୋଲ୍ୟୁସନ ଫଟୋ ପଠାଇବାକୁ ସକ୍ଷମ ।
ଦେଶ ସୁରକ୍ଷାରେ ଦେବ ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
EOS-09 ଦେଶର ସୁରକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାଏ । କେଉଁଠି ସେନା ମୁତୟନ ହେବେ ଓ କେମିତି ପରିଚାଳିତ ହେବେ ସେ ନେଇ ତଥ୍ୟ ଦେଇଥାଏ । ଯାହା ଦ୍ବାରା ସୀମା ଉପରେ ନଜର ରଖିବା, ସନ୍ଦିଗ୍ଧ ଗତିବିଧି ଉପରେ ନଜର ସହଜ ହୋଇଥାଏ । ଏହାସହ ଏହା ଗୁରୁତ୍ବପୂର୍ଣ୍ଣ ସ୍ଥାନର ମ୍ୟାପିଂ କରିଥାଏ । ଏହାର ହାଇ ରିଜୋଲ୍ୟୁସନ ଫଟୋ ସେନାକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପଲବ୍ଧ କରାଇଥାଏ ।
ବିପର୍ଯ୍ୟୟ ପରିଚାଳନା:
ପ୍ରାକୃତିକ ବିପର୍ଯ୍ୟୟ ଯେଭଳି, ବନ୍ୟା, ବାତ୍ୟା, ଭୂକମ୍ପ ଓ ଭୂସ୍ଖଳନ ଉପରେ ନଜର ରଖିବା ସହ ସ୍ଥିତି ଆକଳନ କରିବାରେ ସାହାଯ୍ୟ କରିଥାଏ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ପହଞ୍ଚାଇବା ଓ ଲୋକଙ୍କୁ ଉଦ୍ଧାର କରିବା ପରି ତଥ୍ୟ ପ୍ରଦାନ ଏହାର ପ୍ରାଥମିକତା ହୋଇଥାଏ ।
ପ୍ରାକୃତିକ ସମ୍ପଦର ତଦାରଖ:
EOS-09ର ଉପଯୋଗ କୃଷି, ବନ୍ୟା, ଜଳ ସମ୍ପଦ ଓ ଖଣିଜ ସମ୍ପଦର ତଦାରଖରେ ମଧ୍ୟ ସହଯୋଗ କରିଥାଏ । ଏହାସହ ଜଳବାୟୁ ପରିବର୍ତ୍ତନର ବିଶ୍ଲେଷଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
EOS-09 ଉପଗ୍ରହଟି RISAT ସିରିଜର ସପ୍ତମ ଉପଗ୍ରହ ଏବଂ ଦେଶର ପ୍ରତିରକ୍ଷା କାର୍ଯ୍ୟରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଏହା ସାମରିକ ଯୋଜନା ଏବଂ କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରାକୃତିକ ସମ୍ପଦର ତଦାରଖ ପାଇଁ ମଧ୍ୟ ବ୍ୟବହୃତ ହେବ। EOS-09 ରିସେଟ ଶୃଙ୍ଖଳାର ଏକ ଉପଗ୍ରହ । ଉନ୍ନତ ରାଡାର ଇମେଜିଂ ଟେକନିକ ଯୋଗୁଁ ଏହା ବାଦଲ, କୁହୁଡ଼ି ଓ ଅନ୍ଧାର ପରି ପ୍ରାକୃତିକ ପରିସ୍ଥିତିରେ ମଧ୍ୟ ଉଚ୍ଚ ଗୁଣବତ୍ତାର ଫଟୋ ନେବାକୁ ସକ୍ଷମ ।