ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ସୁରକ୍ଷିତ ସ୍ଥାନ କିରାନା ହିଲ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନର ପରମାଣୁ ଆଡ୍ଡା କୁହାଯାଉଥିବା ଏହି ସ୍ଥାନକୁ କୌଣସି ଟାର୍ଗେଟ୍ କରାଯାଇ ନ ଥିବା ସୋମବାର ଡିଜିଏମଓ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଭାରତୀୟ ବାୟୁସେନା ଡିଜି ତଥା ଏୟାର ମାର୍ଶାଲ ଏକେ ଭାରତୀ ।
ଆଜି ପାକିସ୍ତାନର କିରାନା ପାହାଡ଼କୁ ଭାରତୀୟ ସେନା ଆକ୍ରମଣ କରିଥିବା ନେଇ ପ୍ରଶ୍ନ ଉତ୍ତର ଦେଇଛନ୍ତି ଏୟାର ମାର୍ଶାଲ ଭାରତୀ । ଭାରତୀୟ ସେନା କିରାନା ପାହାଡ଼ରେ ଥିବା ପାକିସ୍ତାନର ପରମାଣୁ ଆଡ୍ଡାକୁ କୌଣସି କ୍ଷତି ପହଁଚା ଯାଇ ନାହିଁ ବୋଲି ଏୟାର ମାର୍ଶଲ୍ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଆପଣଙ୍କୁ (ଉପସ୍ଥିତ ସାମ୍ବାଦିକ) ଧନ୍ୟବାଦ ଯେ ଆପଣ ଆମକୁ ଜଣାଇଛନ୍ତି, କିରାନା ହିଲ୍ସରେ ଆଣବିକ କେନ୍ଦ୍ର ଅଛି । ଆମକୁ ଏ ବିଷୟରେ କୌଣସି ସୂଚନା ନ ଥିଲା । ଆମେ କିରାନା ହିଲ୍ସକୁ କୌଣସି ଟାର୍ଗେଟ୍ କରି ନାହୁଁ, ତେଣୁ ସେଠାରେ କିଛି ବି ହୋଇଥାଉ ।
ଏ ନେଇ ସୋସିଆଲ ମିଡିଆରେ ବହୁତ ଆଲୋଚନା ହେଉଥିଲା । ମେ ୧୦ ତାରିଖ ଭାରତର ପ୍ରତିଜବାବରେ ପାକିସ୍ତାନର ସରଗୋଧା ଜିଲ୍ଲାରେ ଥିବା ମୁଶାଫ ଏୟାରବେସ୍ ଉପରେ ଆକ୍ରମଣ କରାଯାଇ ଏହାକୁ ଧ୍ୱଂସ କରାଯାଇଥିଲା । ଏହି ଏୟାରବେସ୍ କିରାନା ପାହାଡ଼ର ତଳେ ରହିଛି । କିନ୍ତୁ ଏହି ମୁଶାଫ୍ ଏୟାରବେସ୍ ମାଟି ତଳେ ପାକିସ୍ତାନର ପରମାଣୁ ବୋମା ଗଚ୍ଛିତ ରଖାଯାଇଥିବା କୁହାଯାଉଛି ।
କାହିଁକି ଚର୍ଚ୍ଚାରେ କିରାନା ପାହାଡ଼
ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ମନରେ ଉଙ୍କି ମାରୁଛି ଯେ ଏହି କିରାନା ପାହାଡ଼ କାହିଁକି ଏତେ ଚର୍ଚ୍ଚାରେ ରହିଛି । କିରାନା ପର୍ବତମାଳା ଅଟେ । ଯାହାକି ପାକିସ୍ତାନ ପ୍ରତିରକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ପାକ୍ ସରଗୋଧା ଜିଲ୍ଲାର ଶହରୀ ଓ ରବ୍ବାହ ଶହର ମଧ୍ୟରେ ରହିଛି । ଏହାର ରଙ୍ଗ କଳା ହୋଇଥିବାରୁ ଏହାକୁ କାଲୀ ପାହାଡ଼ୀ ମଧ୍ୟ କୁହାଯାଇଥାଏ । ମୁଶାଫ୍ ଏୟାରବେସ୍ ଠାରୁ ଏହା ମାତ୍ର ୮ କିମି ଦୂରରେ ଅବସ୍ଥିତ । କିରାନା ସୁରକ୍ଷା ପ୍ରାୟ ୭୦ ବର୍ଗଫୁଟ୍ କିଲିମିଟର ପର୍ୟ୍ୟନ୍ତ ବ୍ୟାପୀ ରହିଛି । କୌଣସି ବି ଆକ୍ରମଣରୁ ଏହି ସ୍ଥାନ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ବିବେଚନା କରାଯାଏ । ଏଠାରୁ ସଡ଼କ, ରେଳ ଓ ବାୟୁ ପରିବହନ ସିଧାସଳଖ ହୋଇଥାଏ । ୧୯୯୦ ମସିହାରେ ଆମେରିକା ଏହାକୁ ଲୋକ ଲୋଚନକୁ ଆଣିଥିଲା । ସେତେବେଳେ ଆମେରିକା ସାଟେଲାଇଟରେ ପାକିସ୍ତାନ ଆଣବିକ ପରୀକ୍ଷଣ କରୁଥିବା ଧରା ପଡ଼ିଥିଲା । ଆମେରିକାର ବିରୋଧ ପରେ ଏହି ପରୀକ୍ଷଣକୁ ରଦ୍ଦ କରାଯାଇଥିଲା । ତଥାପି ଏଠାରେ ପାକିସ୍ତାନ ପରମାଣୁ ଅସ୍ତ୍ର ଗଚ୍ଛିତ ରଖିଥିବା ଅନୁମାନ କରାଯାଏ ।
ଗତକାଲି ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ୧୧ଟି ସାମିରକ ଠିକଣା ଉପରେ ଆକ୍ରମଣ କରାଯାଇଥିବା ସୂଚନା ଦେଇଥିଲେ । ଯାହାର ସାଟେଲାଇଟ୍ ଫଟୋ ପ୍ରମାଣସ୍ୱରୂପ ଦେଖାଇଥିଲା ସେନା । ରଫୀକୀ, ମୁରୀଦକେ, ଚକଲାଲା, ରହୀମ ୟାର ଖାନ, ସକର, ଚୁନିୟନ, ପସରୁର ଓ ସିୟାଲକୋଟ ସହିତ ରାଡ଼ାର ସେଣ୍ଟର, କମାଣ୍ଡ ଓ କଣ୍ଟ୍ରୋଲ୍ ସେଣ୍ଟର୍ ଏବଂ ଗୋଳାବାରୁଦ ଡିପୋ ମଧ୍ୟ ସାମିଲ ଥିଲା ।