ନୂଆଦିଲ୍ଲୀ: ସୋମବାର ଦିନ ତିନି ସେନାର ଡିଜି ଦ୍ୱିତୀୟ ପ୍ରେସ ବ୍ରିଫିଂ 'ଅପରେସନ୍ ସିନ୍ଦୂର' ସମ୍ପର୍କରେ କହିବା ସମୟରେ, ଭାରତୀୟ ସେନାର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଊଏଗଙ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ତାଙ୍କ ଭାଷଣରେ ଷ୍ଟାର ତଥା ଭାରତୀୟ ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ମନେ ପକାଇଥିଲେ। ତାଙ୍କ ଅବସର କଥା ଉଠାଇ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଥିଲେ, ଅନେକ ଭାରତୀୟଙ୍କ ପରି, ସେ ମଧ୍ୟ ମୋର ପ୍ରିୟ କ୍ରିକେଟର। ଏବଂ ମୁଁ ତାଙ୍କର ଜଣେ ବଡ଼ ପ୍ରଂଶସକ’। ଏହି ସମୟରେ, ଡିଜିମୋ ୧୯୭୦ ଦଶକର ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମଧ୍ୟ ଉଲ୍ଲେଖ କରିଥିଲେ, ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ସକାଳେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ନିଜ ଇନଷ୍ଟାରେ ସେ ଏନେଇ ବଡ଼ ଘୋଷଣା କରିଛନ୍ତି। ବିରାଟ ପୂର୍ବରୁ ଟି-୨୦ ବିଶ୍ବକପ ପରେ ଟି-୨୦ରୁ ଅବସର ଘୋଷଣା କରିଥିଲେ । ଏବେ ଟେଷ୍ଟରୁ ଅବସର ଘୋଷଣା କରିଥିବାବେଳେ ଆଗାମୀ ଦିନରେ କେବଳ ଦିନିକିଆରେ ଖେଳ ଜାରି ରଖିବେ । ସେ ଭାରତ ପାଇଁ ୧୨୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ତାଙ୍କ ନାମରେ ଅନେକ ରେକର୍ଡ ରହିଥିବାବେଳେ ୨୦୧୧ ମସିହାରେ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ କୋହଲି । ବିରାଟ ନିଜର ଶେଷ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ।