ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଲଗାତର ତିନି ଦିନ ଧରି ଭାରତକୁ ଟାର୍ଗେଟ୍ କରିଥିଲା । କିନ୍ତୁ ଆମର ବାୟୁ ପ୍ରତିରକ୍ଷା ସିଷ୍ଟମ୍ ଦ୍ୱାରା ପଡ଼ୋଶୀ ରାଷ୍ଟ୍ରକୁ ସୁଦୃଢ଼ ଜବାବ ଦିଆଯାଇଥିଲା । ତେବେ ଆମର ଏୟାରଫିଲ୍ଡ ଏବଂ ଲଜିଷ୍ଟିକ୍ସକୁ ଭେଦ କରିବା ଏତେ ସହଜ କାମ ନୁହେଁ ବୋଲି ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଆଜି ପାକିସ୍ତାନ ଓ ଭାରତର ଡିଜିଏମଓ ସ୍ତରରେ ନିର୍ଣ୍ଣାୟକ ଆଲୋଚନା ହେବା । ଏହା ପୂର୍ବରୁ ଭାରତ ଡିଜିଏମଓ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଆମର ଏୟାରଫିଲ୍ଡ ଏବଂ ଲଜିଷ୍ଟିକ୍ସକୁ ଭେଦ କରିବା ଏତେ ସହଜ କାମ ନୁହେଁ । ଆମର ବହୁମୁଖୀ ପ୍ରତିରକ୍ଷା ବଳୟ ରହିଛି । ଯାହାକୁ ଭେଦ କରିବା ପାକିସ୍ତାନ ପାଇଁ କାଠିକର ପାଠ ଅଟେ । ରାଜୀବ ଘାଇ ୧୯୭୦ ଦଶକର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମ୍ୟାଚକୁ ଉଦାହରଣ ଦେଇଥିଲେ । ଅଷ୍ଟ୍ରେଲିଆ-ଇଂଲଣ୍ଡ ଆଶେସ୍ ସିରିଜ୍ ସମୟରେ, ଦୁଇ ଜଣ ଅଷ୍ଟ୍ରେଲିଆନ୍ ବୋଲର ଇଂଲଣ୍ଡ ବ୍ୟାଟିଂ ଲାଇନଅପକୁ ଧ୍ୱଂସ କରିଦେଇଥିଲେ । ଅଷ୍ଟ୍ରେଲିଆର ରଣନୀତି ହିସାବରେ ଯଦି ଥମ୍ପସନ୍ ପାରିବେ ନାହିଁ ତାହା ଲିଲି ନିଶ୍ଚିତ ଭାବରେ ପାରିବେ । ଅର୍ଥାତ୍ ଇଂଲଣ୍ଡ ବ୍ୟାଟରଙ୍କୁ ଥମ୍ପସନ୍ ଏବଂ ଲିଲି ଧରାଶାୟୀ କରିଥିଲେ । ସେହିପରି ଆମର ପ୍ରତିରକ୍ଷା ବଳୟରେ ଯଦି ଆପଣ କିଛି ସ୍ତର ଦେଇ ଯାଆନ୍ତି, ଏହି ଗ୍ରୀଡ୍ ସିଷ୍ଟମର ଗୋଟିଏ ସ୍ତର ସର୍ବଦା ଆପଣଙ୍କୁ ତଳକୁ ନେଇଯିବ । ଏହାର ଅର୍ଥ ଗୋଟିଏ ସ୍ତର ଆପଣ ଅତିକ୍ରମ କରିଗଲେ ଆଉ ଗୋଟିଏ ପ୍ରତିରକ୍ଷା ସିଷ୍ଟମ୍ ପ୍ରତିରୋଧ କରିବ ।
ପହଲଗାମ ପର୍ଯ୍ୟନ୍ତ ପାପର କଳସୀ ପୂର୍ଣ୍ଣ ହୋଇସାରିଥିଲା
ଆତଙ୍କବାଦୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସୁଥିଲା । ସେନା ସହିତ ନିରୀହ ନାଗରିକ ଯେଉଁମାନେ ନିଜର ରକ୍ଷା କରିବା ଅସମ୍ଭବ ସେମାନଙ୍କ ଉପରେ ଆକ୍ରମଣ କରୁଥିଲେ । ୨୦୨୪ ଜମ୍ମୁ ଶିବଖୋରୀ ମନ୍ଦିର ଯାଉଥିବା ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ ଓ ଚଳିତ ବର୍ଷ ଏପ୍ରିଲରେ ପହଲଗାମର ନିରୀହ ପର୍ଯ୍ୟଟକଙ୍କୁ ଆକ୍ରମଣ କରିବା ଭଳି ଭୟଙ୍କର ଘଟଣା ଉଦାହରଣ ଅଟେ । ପହଲଗାମ ପରେ ପାପର କଳସୀ ପୂର୍ଣ୍ଣ ହୋଇସାରିଥିଲା । ଏହା ପରେ ଯାହା ହେଲା ତାହାକୁ ବିସ୍ତାରଭାବରେ କହି ସାରିଛୁ ।
ଯବାନଙ୍କଠାରୁ ଦେଶବାସୀଙ୍କୁ ଧନ୍ୟବାଦ
ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ସୀମା ସୁରକ୍ଷା ବାହିନୀଙ୍କୁ ପ୍ରଶଂସା କରିଛନ୍ତି । ମହାନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ସୀମାରେ ନିୟୋଜିତ ପ୍ରତ୍ୟେକ ଯବାନ ପର୍ଯ୍ୟନ୍ତ, ସମସ୍ତେ ଏହି ଅପରେସନରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ଏବଂ ବହୁତ ସାହସର ସହିତ ସମର୍ଥନ କରିଥିଲେ। ସେମାନଙ୍କର କାଉଣ୍ଟର-ଆଲାର୍ମ ସିଷ୍ଟମ ମଧ୍ୟ ଆମର ବହୁ-ସ୍ତରୀୟ ବାୟୁ ପ୍ରତିରକ୍ଷା ଗ୍ରୀଡରେ ସଂଯୁକ୍ତ ହୋଇଥିଲା, ଯାହା ପାକିସ୍ତାନର ଘୃଣ୍ୟ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସାହାଯ୍ୟ କରିଥିଲା । ଅପରେସନ୍ ସିନ୍ଦୁର ତିନୋଟି ସେବା ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ସହିତ କାର୍ଯ୍ୟକାରୀ ହୋଇଥିଲା । ସରକାର, ବିଭାଗ ଏବଂ ଏଜେନ୍ସିଗୁଡ଼ିକ ଦ୍ୱାରା ପୂର୍ଣ୍ଣ ସମର୍ଥନ ମିଳିଥିଲା । ସେନା ସହିତ ଠିଆ ହୋଇଥିବାରୁ, ପ୍ରାର୍ଥନା କରିଥିବାରୁ ଏବଂ ଉତ୍ସାହିତ କରିଥିବାରୁ ଦେଶର ୧୪୦ କୋଟି ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିପାଇଁ ଆମେ ଆପଣଙ୍କୁ ସାଲ୍ୟୁଟ୍ କରୁଛୁ ବୋଲି କହିଛନ୍ତି ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ।