ଭୁବନେଶ୍ୱର: ଥମୁନି ଗଞ୍ଜେଇ ବେପାରୀଙ୍କ ବେଧଡ଼କ ଚୋରା ଚାଲାଣ । ଏନେଇ ଆକ୍ସନ ମୋଡ଼ରେ ଆସିଛି ରାଜଧାନୀ ପୋଲିସ । ଭୁବନେଶ୍ୱରର ଖଣ୍ଡଗିରି ଛକ ଅଞ୍ଚଳରୁ ଗଞ୍ଜେଇ ବୋଝେଇ ଟ୍ରକ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ବୋଲି ଜଣାପଡିଛି । ତେବେ ଏହି ଗଞ୍ଜେଇ ଚାଲାଣର ଚେର ଫୁଲବାଣୀରୁ ସୁଦୂର ହିମାଚଳପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି ବୋଲି ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ ଖଣ୍ଡଗିରି ଅଞ୍ଚଳରେ ଫୁଲବାଣୀରୁ ଗଞ୍ଜେଇ ବୋଝେଇ ଟ୍ରକ ଆସି ପହଞ୍ଚିଥିବା ବେଳେ ଏହା ହିମାଚଳପ୍ରଦେଶ ଅଭିମୁଖେ ଯିବା ପୂର୍ବରୁ ସୌଦା ଚାଲିଥିଲା । ଏହି ସମୟରେ କୌଣସି ସୂତ୍ରରୁ ଖଣ୍ଡଗିରି ପୋଲିସ ଖବର ପାଇ ଅତର୍କିତ ଭାବେ ଚଢ଼ଉକରି ଗାଡ଼ିରେ ଥିବା ଗଞ୍ଜେଇ ଜବତ କରିଥିଲେ ।
କମିସନରେଟ ପୋଲିସର ସ୍ପେସିଆଲ କ୍ରାଇମ ୟୁନିଟର ସୂଚନା ମୁତାବକ ଖଣ୍ଡଗିରି ଅଞ୍ଚଳରେ ଥିବା ଖାରବେଳ ପାର୍କ ପାଖରେ ଏପରି କାର୍ଯ୍ୟକଳାପ ଚାଲିଥିଲା । ଚାଲାଣକାରୀ ପୋଲିସକୁ ଚକ୍ମା ଦେବା ପାଇଁ ଆଗରେ କର୍ପୂର ପ୍ୟାକେଟ ରଖି ଗଞ୍ଜେଇ ପଛରେ ଲୁଚାଇ ରଖିଥିଲେ । ତେବେ ଜବତ ହୋଇଥିବା ଗଞ୍ଜେଇର ପରିମାଣ ପାଖାପାଖି ପାଞ୍ଚ କ୍ୱିଣ୍ଟାଲ ହେବା ସହିତ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ହେବ ।
ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି ।