ସୁନ୍ଦରଗଡ଼: ସେୟାର ଟ୍ରେଡିଂ ନାଁରେ ଆକର୍ଷଣୀୟ ଲୋଭ ଦେଖାଇ ୪୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଛି । ଗୋଟିଏ ମାସ ମଧ୍ୟରେ ଦୁଇ ଗୁଣ ଅର୍ଥ ଫେରସ୍ତ ଲୋଭରେ ଫସିଛନ୍ତି ଡାକ୍ତର, ସରକାରୀ ଅଧିକାରୀ, ରାଜନେତା, ହୋଟେଲ ମାଲିକ ଓ ଉଦ୍ୟୋଗପତି । ଥାନାରେ ଅଭିଯୋଗ ପରେ ଠକ ଯୁବକ ଫେରାର ହୋଇଯାଇଛି ।
ଘଟଣା ମୁତାବିକ, ସୁନ୍ଦରଗଡ଼ ଟାଉନ ଥାନା ନିରଞ୍ଜନ ନଗର ଅଞ୍ଚଳର ଜଣେ ଯୁବକ ସେୟାର ଟ୍ରେଡିଂରେ ମୋଟା ଅଙ୍କର ଲାଭ ଦେଖାଇ ଜାଲ ବିଛାଇଥିଲା । ଏହି ବ୍ୟବସାୟରେ ଟଙ୍କା ଜମା କଲେ ମାସକ ଭିତରେ ୨ ଗୁଣା ଫେରସ୍ତ ହେବାକୁ କହି ଲୋଭ ଦେଖାଇଥିଲା । ଯୁବକ ଜଣକ ଚତୁରତାର ସହ ପ୍ରଥମେ ଜମାକାରୀଙ୍କୁ କିଛି କିଛି ଟଙ୍କା ଫେରସ୍ତ କରି ବିଶ୍ୱାସ ଜନ୍ମାଇଥିଲା । ପରେ ତା ଜାଲରେ ପଡିଥିଲେ ନାମାଦାମୀ ବ୍ୟବସାୟୀ, ଉଦ୍ୟୋଗପତି, ଡାକ୍ତର, ଅଧୀକାରୀ, ଓ ରାଜନେତା । ଏଭଳି ସେଇ ଯୁବକ ଜଣକ ୪୦ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିବା କୁହାଯାଉଛି । ତେବେ କିଛି ମାସ ପରେ ଟଙ୍କା ଫେରସ୍ତ ନ କରିବାରୁ ପୂରା ଘଟଣାର ପର୍ଦ୍ଦାଫାସ ହୋଇଛି ।
ଯୁବକ ଜଣକ ମୁମ୍ବାଇର ଏକ କମ୍ପାନୀରେ ଟଙ୍କା ଫସିରହିଛି କହି ଜିଲ୍ଲାର କିଛି ଜମାକାରୀଙ୍କୁ ମୁମ୍ବାଇ ମଧ୍ୟ ନେଇଥିଲା । ତେବେ ସେଠାରେ କମ୍ପାନୀର ପତ୍ତା ନ ମିଳିପାରୁ ଜମାକାରୀ ଯୁବକଙ୍କୁ ଘେରିଥିଲେ । ଏ ଘଟଣା ପରେ ପ୍ରତିମାସରେ କିସ୍ତି ବାବଦରେ ଟଙ୍କା ଦେଇ ୨ ବର୍ଷ ମଧ୍ୟରେ ସୁଝି ଦେବାକୁ ପ୍ରତିଶୃତି ଦେଇଥିଲେ ଯୁବକ । ତେବେ ଏହାରି ଭିତରେ ୧୫ ଦିନ ହେଲା ସେ କେଉଁଆଡେ ଫେରାର ହୋଇଯାଇଛନ୍ତି । ତାଙ୍କ ସହ ଯୋଗଯୋଗ ନହେବାରୁ ଜମାକାରୀ ଏବେ ଥାନାର ଦ୍ୱାରସ୍ତ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।