କନ୍ଧମାଳ: ବନ୍ଦ କୋଠରୀ ଭିତରେ ଯୁବତୀଙ୍କୁ ସପ୍ତାହେ ଧରି ଗଣଦୁଷ୍କର୍ମ । ଘରେ ଛାଡ଼ି ଦେବେ କହି ଅପହରଣ କରି ଦୁଷ୍କର୍ମ କରିଛନ୍ତି ୩ ଜଣ ସାଙ୍ଗ । ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । ଏ ନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତ ୧୧ ତାରିଖରେ ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ ଔଷଧ କିଣିବାକୁ ବାଲିଗୁଡ଼ା ବଜାରକୁ ଆସିଥିଲେ । ଘରକୁ ଯିବାକୁ ତ୍ରିବେଦୀ ପାର୍କ ନିକଟରେ ବସ୍ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ଅଟୋ ଚାଳକ ପହଞ୍ଚି ତାଙ୍କୁ ଘରେ ଛାଡ଼ି ଦେବାକୁ କହିଥିଲେ । ଯୁବତୀ ଅଟୋରେ ବସି ଘରକୁ ଯାଉଥିବା ସମୟରେ ଅଟୋ ଚାଳକୁ ଗାଡ଼ିକୁ ନିର୍ଦ୍ଧିଷ୍ଟ ଗାଁକୁ ନ ନେଇ ଅନ୍ୟ ଏକ ସ୍ଥାନକୁ ନେଇ ଚାଲି ଯାଇଥିଲେ । ଡ୍ରାଇଭର ତାଙ୍କୁ ଜବରଦସ୍ତ ବାଲିଗୁଡ଼ାରେ ଏକ ଭଡ଼ା ଘରକୁ ନେଇ ସେଠାରେ ତାଙ୍କ ତାଲା ପକାଇ ରଖିଥିଲେ । ପରେ ଆଉ ଦୁଇ ଜଣ ସାଙ୍ଗଙ୍କ ସହିତ ମିଶି ତାଙ୍କୁ ପ୍ରାୟ ସାତ ଦିନ ଧରି ଦୁଷ୍କର୍ମ କରିଥିଲେ ।
କିନ୍ତୁ ପାଖ ପଡ଼ୋଶୀଙ୍କ ସନ୍ଦେହ ହେବାରୁ ସେ ବାଲିଗୁଡ଼ା ପୋଲିସକୁ ଖବର ଦେଇଥିଲେ । ମେ ୧୭ ତାରିଖରେ ବାଲିଗୁଡ଼ା ଏସଡିପିଓ ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶରେ ଆଇଆଇସି ସମ୍ବିତ ସ୍ୱାଇଁ ଏବଂ ତାଙ୍କ ଟିମ୍ ପହଁଚି ଉକ୍ତ ଘରେ ଚଢ଼ଉ କରି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଜନୈକା ଯୁବତୀଙ୍କୁ ବାଲିଗୁଡ଼ୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ପୋଲିସ କହିଛି । ତେବେ ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ।