ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ 'ନ୍ୟାୟ ସଂହିତା ପ୍ରଦର୍ଶନୀ' ପରିଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନୀକୁ ଦୁଇ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ଏହି ସୂଚନାପ୍ରଦ ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ନୂତନ ଅପରାଧିକ ନ୍ୟାୟିକ ବ୍ୟବସ୍ଥା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା। ବିଶେଷ କରି ଜୁଲାଇ ୧, ୨୦୨୪ ରୁ କାର୍ଯ୍ୟକାରୀ ହୋଇଥିବା ପୁରୁଣା ବ୍ରିଟିଶ କାଳର ଆଇନ ବଦଳରେ ନୂତନ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ସମ୍ପର୍କରେ ଏଠାରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିଟି ଷ୍ଟଲ୍ ବୁଲି ଦେଖିବା ସହ ବରିଷ୍ଠ ପୋଲିସ ଅଧିକାରୀ, ଫରେନସିକ୍ ବିଶେଷଜ୍ଞ ଏବଂ ଆଇନଜୀବୀମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାର ତଦନ୍ତ ଏବଂ ନ୍ୟାୟିକ ପ୍ରକ୍ରିୟାରେ ଆଧୁନିକ ଜ୍ଞାନକୌଶଳ, ଫରେନସିକ୍ ଉପକରଣ ଏବଂ ଡିଜିଟାଲ୍ ମାଧ୍ୟମର ବ୍ୟବହାର କିଭଳି କରାଯାଉଛି, ତାହାର ସେ ସମୀକ୍ଷା କରିଥିଲେ। ଏହା ସହିତ ସେ ଅପରାଧ ସ୍ଥଳରୁ ଆରମ୍ଭ କରି କୋର୍ଟରେ ମାମଲା ପରିଚାଳନା (Prosecution) ପର୍ଯ୍ୟନ୍ତର ସମସ୍ତ ପ୍ରକ୍ରିୟାକୁ ଏକ ନାଟିକା ମାଧ୍ୟମରେ ଦେଖିଥିଲେ। ଓଡ଼ିଶା ପୋଲିସ ଦ୍ଵାରା ଆୟୋଜିତ ଏହି ପ୍ରଦର୍ଶନୀରେ ସଚେତନତା ବାର୍ତ୍ତାବାହୀ ଏକ ପଥପ୍ରାନ୍ତ ନାଟକକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହିତ ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ ଗୃହ ବିଭାଗର ବିଭିନ୍ନ ଷ୍ଟଲ ଅତି ଉଚ୍ଚକୋଟିର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।
ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ନାଗରିକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ପାଇଁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଯେଉଁ ସଂକଳ୍ପ ରହିଛି, ତାହାର ଶ୍ରେଷ୍ଠ ପ୍ରମାଣ ହେଉଛି ଏହି ଭାରତୀୟ ନ୍ୟାୟ ସଂହିତା। ଏହି ପ୍ରଦର୍ଶନୀ ସାଧାରଣ ଲୋକଙ୍କୁ ଏହି ନୂଆ ଆଇନର କାର୍ଯ୍ୟକାରିତା ଓ ଏହାର ପ୍ରଭାବ ସମ୍ପର୍କରେ ସଚେତନ କରିବାରେ ଏକ ଉତ୍ତମ ପଦକ୍ଷେପ । ଏହି ନୂଆ ଆଇନ ଲାଗୁ ହେଲା ପରେ ଭାରତ ବର୍ଷର ଅପରାଧ ନିୟନ୍ତ୍ରଣ ଢାଞ୍ଚାରେ ଉପନିବେଶବାଦୀ ଯୁଗର ଅବସାନ ଘଟିଛି ଏବଂ ସ୍ୱାଧୀନ ଭାରତର ଆଭିମୂଖ୍ୟକୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ନୂଆ ଆଇନ ଲାଗୁ ହେଲା ପରେ ଭାରତ ବର୍ଷର ଅପରାଧ ନିୟନ୍ତ୍ରଣ ଢାଞ୍ଚାରେ ଉପନିବେଶବାଦୀ ଯୁଗର ଅବସାନ ଘଟିଛି ଏବଂ ସ୍ୱାଧୀନ ଭାରତର ଆଭିମୂଖ୍ୟକୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି ।
ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ୨୦୨୫ ଶେଷ ପର୍ଯ୍ୟନ୍ତ, ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି ପାଇଛି। ଏହା ଏକ ବିରାଟ ସଫଳତା । ଏହି ଆଇନ ଦ୍ଵାରା ତଦନ୍ତ ଠାରୁ ବିଚାର ପର୍ଯ୍ୟନ୍ତ ପ୍ରାୟ ସବୁ ଷ୍ଟେପ୍ ରେ ଉନ୍ନତି ଆସିଛି। ୨୦୨୫ ରେ ଜିରୋ ଏଫ୍ଆଇଆର୍ ସଂଖ୍ୟା ୧୬୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ଆଇନ ବ୍ୟତୀତ ଆମେ ପୋଲିସକୁ ଦକ୍ଷ କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନେଉଛୁ। National Forensic Science University ଏବଂ Central Forensic Science Laboratory ପାଇଁ ଶିଳାନ୍ୟାସ କରାଯାଇଛି। ଆଧୁନିକ ଟେକ୍ନୋଲୋଜିରେ ପୋଲିସକୁ ପାରଙ୍ଗମ କରିବା ପାଇଁ IIT Bhubaneswar ସହିତ MoU ହୋଇଛି। ପୋଲିସ୍ କୁ ବିଭିନ୍ନ ଆଧୁନିକ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେବା ପାଇଁ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ମଧ୍ୟ MoU ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ସମସ୍ତ ଉଚ୍ଚ ପଦସ୍ତ ଅଧିକାରୀ ଉପସ୍ଥିତ ଥିବା ବେଳେ ବିଭିନ୍ନ ସ୍କୁଲ ଏବଂ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ସାଜିଥିବା ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଷ୍ଟଲ୍ ପକ୍ଷରୁ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି। ଏସସିଆରବି ଷ୍ଟଲରେ ଓଡ଼ିଶା ପୋଲିସର ‘ଡିଜିଟାଲ ରୂପାନ୍ତର’ର ଏକ ଚିତ୍ତାକର୍ଷକ ପ୍ରତିଛବି ଦେଖିବାକୁ ମିଳିଛି।
ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହା ଆସନ୍ତା ୧୨ ତାରିଖ ଯାଏ ଜାରି ରହିବ ।