ପୁରୀ: ପୁରୀ ପୋଲିସ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ନିମାପଡ଼ା ପୋଲିସର ନିର୍ଯ୍ୟାତନା ସହି ନ ପାରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନ୍ୟାୟ ଦାବିରେ ଥାନା ଆଗରେ ମୃତ ଦେହ ରଖି ଗ୍ରାମବାସୀ ଧାରଣାରେ ବସିଛନ୍ତି । ସେପଟେ ଏହି ଅଭିଯୋଗକୁ ନିମାପଡ଼ା ଏସ୍ଡିପିଓ ଖଣ୍ଡନ କରିଛନ୍ତି ।
ଗତକାଲି ଏକ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଡିହବାରୀ ଅଞ୍ଚଳର ଯୁବକ ସୁବ୍ରତ ଭୋଇକୁ ନିମାପଡ଼ା ପୋଲିସ ଉଠାଇ ନେଇଥିଲା । ହେଲେ କିଛି ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା । ହେଲେ ଆଜି ସକାଳୁ ଗାଁ ପଡିଆର ଏକ ଗଛରେ ସୁବ୍ରତଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଗାଁ ଲୋକେ ସୁବ୍ରତଙ୍କ ପରିବାରକୁ ଖବର ଦେଇଥିଲେ ।
ପରିବାର ଲୋକେ ପୋଲିସ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ପୋଲିସର ନିର୍ଯ୍ୟାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହକୁ ଥାନା ସମ୍ମୁଖରେ ରଖି ଶତାଧିକ ଗ୍ରାମବାସୀ ଧାରଣାରେ ବସିଛନ୍ତି । ଥାନାରେ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ସେପଟେ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି । ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଅଣାଯାଇନଥିଲା ବୋଲି ପୋଲିସ କହିଛି ।