କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଏକ ୮ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଛି । ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ପାଟକୁରା ଥାନା ଲିଖିତ ଅଭିଯୋଗ କରାଯାଇଛି ।
ଗତ ମଙ୍ଗଳବାର ଦୋଳ ପୂର୍ଣ୍ଣିମା ରାତିରେ ପାଟକୁରା ହାଟ ପଡ଼ିଆରେ ଦୋଳ ମେଳଣ ଚାଲୁଥିବାବେଳେ ୮ ବର୍ଷର ନାବାଳିକାକୁ ରାଘବପୁର ଗ୍ରାମର ଜଣେ ନାବାଳକ ଚିତ୍ରୋତ୍ପଳା ନଦୀବନ୍ଧ ଆଡ଼କୁ ନେଇଯାଇଥିଲା । ସେଠାରେ ଶିଶୁ କନ୍ୟାକୁ ଦୁଷ୍କର୍ମ କରିବା ପରେ ପୁଣି ମେଲଣରେ ଛାଡ଼ି ଦେଇଥିଲା।
ଏ ନେଇ ନାବାଳିକା ଜଣକ ପରିବାରକୁ ଜଣାଇଥିଲା । ମାତ୍ର ପରିବାର ଲୋକ ନିନ୍ଦା ଭୟରେ ପୋଲିସକୁ ସୂଚନା ନ ଦେଇ ଆପୋଷ ସମାଧାନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନାବାଳକର ପରିବାର ପକ୍ଷରୁ କୌଣସି ସକାରାତ୍ମକ ସମାଧାନ ନ ହେବାରୁ ପୀଡ଼ିତା ପରିବାର ଥାନାର ଦ୍ୱାରସ୍ଥ ହୋଇଛି । ପାଟକୁରା ଥାନା ପୋଲିସ ମାମଲା ରୁଜୁ କରିବା ସହିତ ନାବାଳିକାଙ୍କର ଡାକ୍ତରୀ ମାଇନା କରାଇଛି । ସମ୍ପୃକ୍ତ ନାବାଳକୁ ଅଟକ ରଖି ପଚରାଉଚରା କରାଯାଉଥିବା ପାଟକୁରା ଥାନା ଅଧିକାରୀ ମହମ୍ମଦ ଜମସେଦ ସୂଚନା ଦେଇଛନ୍ତି।