ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ପାଇଁ ସେଠାରେ ଫସି ରହିଥିବା ଓଡ଼ିଆଙ୍କୁ ଦେଶକୁ ଫେରାଇ ଆଣିବାକୁ ଅପିଲ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଏଥିପ୍ରତି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ନବୀନ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ଦେଶରେ ଲକ୍ଷାଧିକ ଓଡ଼ିଆ ଲୋକେ ଫସି ରହିଛନ୍ତି । ସେମାନଙ୍କୁ ସେଠାରୁ ସୁରକ୍ଷିତ ଫେରାଇ ଆଣିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ନବୀନ ।
ପ୍ରକାଶ ଯୋଗ୍ୟ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ପାଇଁ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ପାଇଁ ଓଡ଼ିଶା ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଓ ବିଭିନ୍ନ ପ୍ରବାସୀ ଭାରତୀୟ ସଂସ୍ଥାମାନଙ୍କ ସହ ମିଳିତ ଭାବେ ଏକ ୱାର୍କିଂ ଗ୍ରୁପ ଗଠନ ହୋଇଛି । ସେହି ସ୍ଥାନରେ ଥିବା ବ୍ୟକ୍ତିମାନେ କୌଣସି ପ୍ରତିକୂଳ ପରିସ୍ଥିତିରେ ବୈଦେଶିକ ମନ୍ତ୍ରାଳୟ ଏବଂ ଓଡ଼ିଶା ପରିବାର ସ୍ୱତନ୍ତ୍ର ଅଧିକାରୀଙ୍କୁ ସମ୍ପର୍କ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରବାସୀ ଓଡ଼ିଆମାନେ ବୈଦେଶିକ ମନ୍ତ୍ରାଳୟ- ୮୦୦୪୬୩୪୨, ହ୍ବାଟ୍ସଆପ୍-୯୭୧୫୪୩୦୯୦୫୭୧ ଏବଂ ଓଡ଼ିଶା ପରିବାର ସ୍ୱତନ୍ତ୍ର ଅଧିକାରୀ-୯୫୮୩୩୨୧୯୬୪ଙ୍କୁ ଏହି ନମ୍ବର ମାଧ୍ୟମରେ ସମ୍ପର୍କ କରିପାରିବେ ।