ଗଞ୍ଜାମ: ଗୁଣିଗାରେଡି ସନ୍ଦେହରେ ମାଡ଼ ଘଟଣାରେ ୧୦ ଜଣ ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ବେଲପୁଞ୍ଜି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୟସ୍କ ବ୍ୟକ୍ତିଙ୍କ ହାତ ବାନ୍ଧି, ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ। ଆହତ ବ୍ୟକ୍ତି ଚଢିଆପଲ୍ଲୀ ଗାଁ ଢେପସାହିର ଗୋପାଳକୃଷ୍ଣ ସେଠୀ। ସେ ଜଣେ ମାନସିକ ବିକାରଗ୍ରସ୍ତ।
ଗୋପାଳକୃଷ୍ଣ ବୁଲି ବୁଲି, ବେଲପୁଞ୍ଜି ଗାଁର ଏକ ମନ୍ଦିର ବାରଣ୍ଡାରେ ରାତିରେ ରହିଥିଲେ। ଗାଁର କିଛି ଲୋକ ବିଳମ୍ବିତ ରାତିରେ ତାଙ୍କୁ ଦେଖି, ଗୁଣିଆ ସନ୍ଦେହ କରିଥିଲେ। ଗାଁର ପ୍ରାୟ ୨୦ ରୁ ୩୦ ଜଣ ଲୋକ, ତାଙ୍କର ହାତ ବାନ୍ଧି, ନିସ୍ତୁକ ମାଡ଼ ମାରିଥିଲେ। ଏ ସଂକ୍ରାନ୍ତରେ ତାଙ୍କ ପରିବାର ଲୋକେ ଖବର ପାଇ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ।
ପୋଲିସ ଅଭିଯୋଗ ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଗୋପାଳକୃଷ୍ଣଙ୍କୁ ଉଦ୍ଧାର କରି, ବ୍ରହ୍ମପୁର ମେଡ଼ିକାଲକୁ ପଠାଇଥିଲା। ଅଭିଯୋଗ ଆଧାରରେ ଗାଁର ୧୦ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ବେଲଗୁଣ୍ଠା ଥାନା ପୋଲିସ।
ଅଧିକ ପଢନ୍ତୁ: ହୁତୁହୁତୁ ହୋଇ ଜଳିଲା ୭ ବଖରା ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ