ଭୁବନେଶ୍ୱର: +୨ ପିଲାଙ୍କ ଇମ୍ପ୍ରୁଭ୍ମେଣ୍ଟ ପାଇଁ ନୂଆ ପଦକ୍ଷେପ। ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କୁ ମାର୍କରେ ଉନ୍ନତି ପାଇଁ ଗୋଟିଏ ବିଷୟରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ପରୀକ୍ଷା ଫଳାଫଳର ୬୦ ଦିନ ଭିତରେ ଇମ୍ପ୍ରୁଭ୍ମେଣ୍ଟ ତଥା ଉନ୍ନତି ପରୀକ୍ଷା ଦେବେ ଓ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଏହାକୁ ଚଳିତବର୍ଷରୁ ଲାଗୁ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀଙ୍କୁ ମାର୍କ ବଢ଼ାଇବାକୁ ଆଉଥରେ ସୁଯୋଗ ଦିଆଯିବ। ଯଦି କୌଣସି ପରୀକ୍ଷାର୍ଥୀଙ୍କର ଗୋଟିଏ ବିଷୟରେ କମ୍ ମାର୍କ ରଖିଥିବେ ତେବେ ସେହି ବିଦ୍ୟାର୍ଥୀ ଆଉ ଥରେ ଉକ୍ତ ବିଷୟରେ ପରୀକ୍ଷା ଦେଇପାରିବେ। ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ପରୀକ୍ଷା ସମୟରେ ହିଁ ସେମାନଙ୍କ ପରୀକ୍ଷା ହେବ ବୋଲି ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ପରିଷଦର ନିୟମ ମୁତାବକ ପରୀକ୍ଷାର୍ଥୀ କେବଳ ଗୋଟିଏ ବିଷୟରେ ଫେଲ୍ ହୋଇଥିଲେ ସେମାନଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବା ସୁଯୋଗ ଦିଆଯାଉଥିଲା। ମାତ୍ର ଚଳିତ ଥର ମାର୍କ ବଢ଼ାଇବାକୁ ମଧ୍ୟ ସୁଯୋଗ ମିଳିବ। ପୂର୍ବରୁ ସ୍ନାତକ, ସ୍ନାତକୋତ୍ତରରେ ଏହି ସୁଯୋଗ ମିଳୁଥିବାବେଳେ ଏବେ +୨ରେ ଏହି ସୁବିଧା ଉପଲବ୍ଧ ହେବ।
ସିଏଚ୍ଏସ୍ଇର ଅଧିକାରୀଙ୍କ କହିବା କଥା, ପରିଷଦର ଏକ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ମେଡିକାଲ ନାମଲେଖା ପରି ଜାତୀୟ ପ୍ରବେଶିକା ପରୀକ୍ଷା କିମ୍ବା ନାମଲେଖାରେ ଯୁକ୍ତ ଦୁଇରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କ ଆବଶ୍ୟକ ହେଉଥିବା ବେଳେ ଏଥିରୁ କମ୍ ମାର୍କ ଥିବା ପିଲା ଆବେଦନ କିମ୍ବା ନାମଲେଖାରେ ହଇରାଣ ହେଉଛନ୍ତି।ତେଣୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସିଏଚ୍ଏସ୍ଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛ। ଛାତ୍ରଛାତ୍ରୀଙ୍କୁ ମାତ୍ର ଗୋଟିଏ ବିଷୟରେ ଉନ୍ନତି ପରୀକ୍ଷା ପାଇଁ ସୁଯୋଗ ମିଳିବ। ଯଦି ଫେଲ୍ ହୋଇଥିବେ ତାଙ୍କୁ ଏଥିରେ ସାମିଲ କରାଯିବ ନାହିଁ। ସେମାନେ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ। ଏହି ଉନ୍ନତି ପରୀକ୍ଷାର ୬୦ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ।
ଅଧିକ ପଢନ୍ତୁ: ଆଖିବୁଜିଲା ବୋମା ଖାଇ ଅସୁସ୍ଥ ଥିବା ମାଈ ହାତୀ; ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲା