କେନ୍ଦୁଝର: ଜଳ ନେଇ ଯାଇଛି ଦୁଇ ଭାଇଙ୍କ ଜୀବନ । ଗାଧୋଉ ଥିବାବେଳେ ପାଣିରେ ବୁଡ଼ି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ରାଇସୁଆଁ ସ୍ଥିତ ପୁରୁଣା ସଦର ଥାନା ପାଖଟେରା ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ ନିରୁଦ୍ଦିନ ଅନସାରୀଙ୍କ ଦୁଇ ପୁତ୍ର ଆମାମାନ ଅନସାରୀ (୯ ବର୍ଷ) ଓ କୁଶାଲ ଅନସାରୀ (୮ବର୍ଷ ) ।
ପ୍ରାପ୍ତ ସୂଚନା ଅନୁସାରେ, ପ୍ରତି ଦିନ ଭଳି ଆଜି ମଧ୍ୟ ନିରୁଦ୍ଦିନଙ୍କ ଦୁଇ ପୁଅ ଆମାମାନ ଓ କୁଶାଲ ସ୍କୁଲରୁ ଆସିବା ପରେ ସାଙ୍ଗ ହୋଇ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଦୁଇ ଭାଇ ଗାଧୋଉଥିବା ସମୟରେ ପାଣିରେ ବୁଡ଼ି ଯାଇଥିଲେ । ସେଠାରେ ଥିବା ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।
ଏକା ସାଙ୍ଗରେ ଦୁଇ ଭାଇଙ୍କ ମୃତ୍ୟୁ ଖବର ସାରା ଗାଁକୁ ସ୍ତବ୍ଧ କରି ଦେଇଛି । ନୁରୁଦ୍ଦିନ ଅନସାରୀ ଦିନ ମଜୁରିଆ ଭାବେ କାମ କରନ୍ତି । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସେ ନିଜ ପରିବାର ସହିତ ରାଇସୁଆଁରେ ଭଡା ଘରେ ରହୁଥିଲେ । ଦୁଇ ପୁଅଙ୍କୁ ହରାଇ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି ।