ଲଖନଉ: ଲଖଉନର ଇକାନା ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ ୨୦୨୫ର ୬୫ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଛି । ଦଳର ବିଜୟରେ ଇଶାନ କିଶନ ଓ ପାଟ୍ କମିନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ପରାଜୟ ଯୋଗୁଁ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଖସି ଆସିଛି ଆରସିବି । ଅନ୍ୟପଟେ ଏସଆରଏଚ ପଞ୍ଚମ ବିଜୟ ହାସଲ କରିଛି । ପ୍ଲେ ଅଫର ୪ ଦଳ ଚୂଡାନ୍ତ ହୋଇଥିଲେ ହେଁ ବର୍ତ୍ତମାନ ଶୀର୍ଷ ୨ ପାଇଁ ଲଢେଇ ଜାରି ରହିଛି । ଏହି ଦୃଷ୍ଟିରୁ ଆରସିବି ଏହି ମ୍ୟାଚ୍ ଜିତିଥିଲେ ଶୀର୍ଷରେ ପହଞ୍ଚିଥାଆନ୍ତା ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୬ ୱିକେଟ୍ ହରାଇ ବିଶାଳ ୨୩୧ ରନ କରିଥିଲା । ଦଳ ପକ୍ଷରୁ ଇଶାନ କିଶନ ୯୪ ରନର ଅପରାଜିତ ଇନିଂସ ଖେଳି ଦଳକୁ ଏହିସ ୍କୋରରେ ପହଞ୍ଚାଇଥିଲେ । ତାଙ୍କ ବ୍ୟତୀତ ଅଭିଷେକ ଶର୍ମା ୩୪ ରନ କରିଥିବା ବେଳେ କ୍ଲାସେନ ୨୪ ରନ ଓ ଅନିକେତ ବର୍ମା ୨୬ ରନର ଦ୍ରୁତ ଇନିଂସ ଖେଳିଥିଲେ । ଫଳରେ ଦଳ ୨୩୧ ରନର ବଡ ସ୍କୋର କରି ପାରିଥିଲା ।
ଜବବରେ ୨୩୨ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବିକୁ ଭଲ ଆରମ୍ଭ ମିଳିଥିଲେ ହେଁ ନିମ୍ନକ୍ରମ ବ୍ୟାଟରଙ୍କ ବିଫଳତା ଯୋଗୁଁ ଦଳ ପରାଜୟ ଭୋଗିଛି । ଦୁଇ ଓପନର ଫିଲିପ ସଲ୍ଟ ଓ ବିରାଟ କୋହଲି ଦମଦାର ବ୍ୟାଟିଂ କରି ଓପନିଂରେ ୮୦ ରନ ଯୋଡିଥିଲେ । ବିରାଟ କୋହଲି ୨୫ ବଲରୁ ୪୩ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ସଲ୍ଟ ଓ ମୟଙ୍କ ଅଗ୍ରୱାଲ ଦ୍ୱିତୀୟ ଭାଗିଦାରୀରେ ୪୦ ରନ ଯୋଡି ଦଳର ସ୍କୋରକୁ ୧୦୦ ପାର କରାଇଥିଲେ । ମୟଙ୍କ ୧୧ ରନ କରି ଆଉଟ୍ ହୋଇଥିଲେ । ତେବେ ସଲ୍ଟ ଆଉଟ୍ ହେବା ଆରସିବିକୁ ବଡ ଝଟକା ଦେଇଥିଲା । ସଲ୍ଟ ୩୨ ବଲରୁ ୪ ଚୌକା ଓ ୫ ଛକା ସହ ୬୨ ରନ କରିଥିଲେ ।
ଏକଦା ୩ ୱିକେଟ୍ ହରାଇ ୧୭୩ ରନ କରିଥିବା ଆରସିବି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ରଜତ ପାଟିଦାର ୧୮ ରନ ଏବଂ ଅଧିନାୟକ ଦାୟିତ୍ୱ ତୁଲାଇଥିବା ଜିତେଶ ଶର୍ମା ୨୪ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ । ରୋମାରିଓ ସେଫର୍ଡ ଶୁନ୍ୟ, କୃଣାଲ ପାଣ୍ଡ୍ୟା ୮ଓ ଟିମ୍ ଡେଭିଡ ୧ ଆଉଟ୍ ହୋଇ ଦଳକୁ ନିରାଶ କରିଥିଲେ । ଶେଷରେ ଆରସିବି ୧୯.୫ ଓଭରରେ ୧୮୯ ରନ କରି ପାରିଥିଲା । ବୋଲିଂରେ ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ପାଟ୍ କମିନ୍ସ ୪ ଓଭରରେ ୨୮ ରନ ଦେଇ ୩ ୱିକେଟ୍ ଓ ଇଶାନ ମାଲିଙ୍ଗାଙ୍କୁ ୨ଟି ୱିକେଟ୍ ନେଇଥିଲେ ।