ନୂଆଦିଲ୍ଲୀ :ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ଅନୁସରଣ କରୁଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବ। ପରିବେଶ ପରିବର୍ତ୍ତନ ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦାରିଦ୍ର୍ୟ ପରି ଆତଙ୍କବାଦ ବିଶ୍ୱ ସାମ୍ନାରେ ଏକ ବଡ଼ ସମସ୍ୟା। ଭାରତ ପରମାଣୁ ଅସ୍ତ୍ର ବ୍ୟବହାରକୁ ନେଇ ବ୍ଲାକମେଲ୍ କରିବାର କୌଣସି ପ୍ରୟାସକୁ ବରଦାସ୍ତ କରିବ ନାହିଁ। ବର୍ଲିନରେ ଜର୍ମାନ ପ୍ରତିପକ୍ଷ ଜୋହାନ ୱାଡେଫୁଲଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।
କେବଳ ଏତିକି ନୁହେଁ, ଭାରତ ପାକିସ୍ତାନ ସହିତ ତା\'ର ପ୍ରସଙ୍ଗ ଦ୍ୱିପାକ୍ଷିକ ରଖିବ, ଏ ବିଷୟରେ କାହାରି କୌଣସି ଭୁଲ ଧାରଣା ରହିବା ଉଚିତ୍ ନୁହେଁ। ଜୟଶଙ୍କର କହିଛନ୍ତି, ପାକିସ୍ତାନ ୧୯୪୭ ମସିହାରୁ ଲଗାତାର ଭାବରେ ଜମ୍ମୁ ଏବଂ କାଶ୍ମୀର ସହିତ ଭାରତର ସୀମା ଉଲ୍ଲଂଘନ କରିଆସୁଛି। ପାକିସ୍ତାନରେ ସାମରିକ ସରକାର ହେଉ କିମ୍ବା ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାର ହେଉ ଏହି ଧାରା ପ୍ରାୟ ଆଠ ଦଶନ୍ଧି ଧରି ଜାରି ରହିଛି। ପାକିସ୍ତାନ ଭାରତ ବିରୁଦ୍ଧରେ ଆତଙ୍କବାଦକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରି ଆସୁଛି ।
ଜୟଶଶଙ୍କର କହିଛନ୍ତି, ଭାରତ ଦଶନ୍ଧି ଧରି ଧୈର୍ଯ୍ୟ ସଂଯମତା ଅବଲମ୍ବନ କରିବା ପରେ ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦର କଡ଼ା ଜବାବ ଦେଇଛି। ଅପରେସନ ସିନ୍ଦୂରକୁ କେବଳ ସ୍ଥଗିତ ରଖାଯାଇଛି, ଏହା ଶେଷ ହୋଇ ନାହିଁ । ଏହା ପୂର୍ବରୁ ଡେନମାର୍କ ଖବରକାଗଜ ପଲିଟିକେନକୁ ଏକ ସାକ୍ଷାତକାରରେ ଜୟଶଙ୍କର କହିଥିଲେ, ପାକିସ୍ତାନରେ ସୈନ୍ୟ ଶାସନ ଓ ଗଣତନ୍ତ୍ରକୁ ଦୁର୍ବଳ କରିବାରେ ଯେତେ ସମର୍ଥନ ଏହି ପାଶ୍ଚାତ୍ୟ ଦେଶମାନେ ଦେଇଛନ୍ତି, ସେମିତି କେହି ଦେଇ ନାହାନ୍ତି ।