ଜଳନ୍ଧର: ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ଝଟକା। ମହଙ୍ଗା ପଡ଼ିଲା ଦୁର୍ନୀତି। ଭିଜିଲାନ୍ସ ଶୁକ୍ରବାର ଶାସକ ଆପ ବିଧାୟକ ରମଣ ଆରୋରାଙ୍କୁ ଦୁର୍ନୀତି ମାମଲାରେ ଗିରଫ କରିଛି। ଏଥିସହ ଭିଜିଲାନ୍ସ ଟିମ୍ ଜଳନ୍ଧର ସ୍ଥିତ ରମଣ ଆରୋରାଙ୍କ ଘରେ ଚଢାଉ କରିଛି। ଏହା ପରେ ବିଧାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନେବ ତଦନ୍ତକାରୀ ସଂସ୍ଥା।
ରମଣ ଆରୋରା ହେଉଛନ୍ତି ଜଳନ୍ଧର କେନ୍ଦ୍ରୀୟ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ। ଆପ ମୁଖପାତ୍ର ନୀଳ ଗର୍ଗ କହିଛନ୍ତି ରମଣ ଆରୋରାଙ୍କ ଘର ଉପରେ ଚଢାଉ ହୋଇଛି। ପଞ୍ଜାବ ସରକାର ସମ୍ପ୍ରତି ବିଧାୟକ ରମଣ ଆରୋରାଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଗିରଫ ବିଧାୟକ ଗଣମାଧ୍ୟମକୁ କହିଛନ୍ତି ଯେ କେଉଁ କାରଣରୁ ତାଙ୍କୁ ଗିରଫ କରାଯାଇଛି ସେ ଜାଣି ନାହାନ୍ତି।
ଆପ୍ ବିଧାୟକଙ୍କ ଗିରଫଦାରୀ ପରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଦୁର୍ନୀତିକୁ ନେଇ ଆମର ନୀତି ସଂପୁର୍ଣ୍ଣ ସ୍ପଷ୍ଟ। ସେ ନିଜର ହେଉ କି ଅନ୍ୟ କେହି ହେଉ, କିଏ ବି କୌଣସି ପ୍ରକାରର ଦୁର୍ନୀତି କଲେ ତାକୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ନିଆଯିବ।