ନୂଆଦିଲ୍ଲୀ: ମାତୃତ୍ୱ ଛୁଟିକୁ ନେଇ ସୁପ୍ରିମକୋର୍ଟ ବଡ଼ ଘୋଷଣା କରିଛନ୍ତି। ଏକ ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ କହିଛନ୍ତି, କୌଣସି ମହିଳାଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। ମାତୃତ୍ବକାଳୀନ ଛୁଟି ମାତୃତ୍ବଜନିତ ସୁବିଧାର ଏକ ଅବିଚ୍ଛେଦ ଅଂଶ। ତାମିଲନାଡୁର ଜଣେ ମହିଳାଙ୍କ ଆବେଦନର ଶୁଣାଣି କରି କୋର୍ଟ ଏପରି ଐତିହାସିକ ରାୟ ଶୁଣାଇଛନ୍ତି ।
ତାମିଲନାଡୁର ଜଣେ ସରକାରୀ ମହିଳା କର୍ମଚାରୀ ଦ୍ବିତୀୟ ବିବାହ କରିବା ପରେ ସେ ଏକ ସନ୍ତାନର ଜନନୀ ହୋଇଥିଲେ। ମାତ୍ର ତାଙ୍କୁ ମାତୃତ୍ବକାଳୀନ ଛୁଟି ପ୍ରଦାନ କରି ନଥିଲେ କର୍ତ୍ତୃପକ୍ଷ। ପୂର୍ବ ବିବାହରେ ତାଙ୍କର ଦୁଇ ଜଣ ସନ୍ତାନ ଥିବାରୁ ତାଙ୍କୁ ଆଉ ମାତୃତ୍ବକାଳୀନ ଛୁଟି ଦିଆଯାଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ଅଗ୍ରାହ୍ୟ କରିଥିଲେ।
ପ୍ରଥମ ଦୁଇଟି ସନ୍ତାନ କ୍ଷେତ୍ରରେ ହିଁ ମାତୃତ୍ବକାଳୀନ ଛୁଟି ମିଳିପାରିବ ବୋଲି ତାମିଲନାଡୁରେ ନିୟମ ରହିଛି। ପିଟିସନର ଅଭିଯୋଗ କରିଥିଲେ ତାଙ୍କର ପ୍ରଥମ ଦୁଇଟି ସନ୍ତାନ କ୍ଷେତ୍ରରେ ଛୁଟି ମିଳି ନଥିଲା। ଏହା ସହ ଦ୍ବିତୀୟ ବିବାହ କରିବା ପରେ ସେ ସରକାରୀ ଚାକିରି କରିଥିଲେ। ରାଜ୍ୟ ସରକାର ମହିଳାଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରୁଥିବା ନେଇ ଯୁକ୍ତି ଦର୍ଶାଇଥିଲେ ଆବେଦନକାରୀଙ୍କ ଓକିଲ କେ.ଭି. ।
ଯାହାର ଶୁଣାଣି କରି ଆବେଦନକାରୀଙ୍କ ପକ୍ଷ ନେଇ ସୁପ୍ରିମକୋର୍ଟ ମାତୃତ୍ୱ ଲାଭର ପରିସରକୁ ବିସ୍ତାର କରି କହିଛନ୍ତି, ମାତୃତ୍ୱ ଛୁଟିକୁ ଏବେ ମୌଳିକ ପ୍ରଜନନ ଅଧିକାରର ଅଂଶ ଭାବରେ ସ୍ୱୀକୃତି ଦିଆଯିବ। ମାତୃତ୍ୱ ଛୁଟି ମାତୃତ୍ୱ ସୁବିଧାର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ମହିଳାଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କୌଣସି ଅନୁଷ୍ଠାନ ଜଣେ ମହିଳାଙ୍କୁ ମାତୃତ୍ୱ ଛୁଟି ପାଇବାର ଅଧିକାରରୁ ବଞ୍ଚିତ କରିପାରିବ ନାହିଁ ।