କୋଲକାତା: ‘ମା ମୁଁ ଚିପ୍ସ ଚୋରି କରି ନାହିଁ। ପ୍ୟାକେଟ୍ ରାସ୍ତାରୁ ଉଠାଇ ଆଣିଥିଲି। ମୋତେ କୁରକୁରେ ବହୁତ ଭଲ ଲାଗେ।‘ ଏହା ଥିଲା ଏକ ଛୋଟ ବାଳକର ଆତ୍ମହତ୍ୟା ପୂର୍ବର କଥା। ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ର ଜଣକ ଏଥିପାଇଁ ଆତ୍ମହତ୍ୟା କଲା କାରଣ ତା ଉପରେ କୁରକୁରେ ପକେଟ୍ ଚୋରି କରିବାର ମିଛ ଅଭିଯୋଗରେ ସର୍ବସାଧାରଣରେ ଦୋକାନୀ ତାଙ୍କୁ ମାଡ଼ ମାରିଥିଲା। ଏମିତି ଦୁଃଖଦ ଏବଂ ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାରେ।
ପୋଲିସ ମୃତ ଛାତ୍ରଙ୍କ ଘରୁ ଏକ ସୁଇସାଇଡ ନୋଟ୍ ପାଇଛି, ଯେଉଁଥିରେ ପିଲାଟି ସ୍ପଷ୍ଟ ଭାବେ ଲେଖିଛି ଯେ, ମା ମୁଁ ଚିପ୍ସ ଚୋରି କରି ନ ଥିଲି। ରାସ୍ତାରେ ପଡ଼ିଥିବା ପ୍ୟାକେଟ୍ ଉଠାଇ ଆଣିଥିଲି। ମୃତ ଛାତ୍ରଙ୍କ ନାଁ ହେଉଛି କୃଷ୍ଣେନ୍ଦୁ ଦାସ। ସ୍ଥାନୀୟ ଲୋକେ ମାଡ଼ ମାରିଥିବା ଦୋକାନୀ ଶୁଭଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପୋଲିସ ଅଭିଯୁକ୍ତ ସ୍ଵେଚ୍ଛାସେବୀଙ୍କୁ ଗିରଫ କରିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ଗତ ରବିବାର କୃଷ୍ଣେନ୍ଦୁ ବଜାରକୁ ଚିପ୍ସ କିଣିବାକୁ ଯାଇଥିଲା। ଯେଉଁ ଦୋକାନକୁ ସେ ଯାଇଥିଲା ସେଠାରେ ଚିପ୍ସ ମିଳି ନ ଥିଲା। ଦୋକାନୀ ବି ଦୋକାନରେ ନ ଥିଲା। ସେ ଘରକୁ ଫେରୁଥିବା ବେଳେ ରାସ୍ତାରେ ପଡ଼ିଥିବା ଏକ ଚିପ୍ସ ପକେଟ୍ ଉଠାଇ ଘରକୁ ଫେରୁଥିଲା।
ଏହି ସମୟରେ ଦୋକାନୀ ଶୁଭଙ୍କର ବାଇକରେ ପିଛା କରି କୃଷ୍ଣେନ୍ଦୁଙ୍କୁ ଧରି ନେଇଥିଲେ ଏବଂ ତାକୁ ଚୋରି କରିଥିବା ଅଭିଯୋଗରେ ବଜାରରେ ସର୍ବସମ୍ମୁଖରେ ଉଠବସ କରାଇଥିଲେ। ଏହା ସହିତ ତାକୁ ମାଡ଼ ବି ମାରିଥିଲେ। କୃଷ୍ଣେନ୍ଦୁ ଦୋକାନୀଙ୍କୁ କ୍ଷମା ମାଗିବା ସହ ଟଙ୍କା ଦେଇଥିଲେ ବି ତାଙ୍କୁ ପିଟି ଚାଲିଥିଲେ ଦୋକାନୀ।
ଏହି ସମୟରେ ପିଲାଟିର ମାଆ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି କୃଷ୍ଣେନ୍ଦୁକୁ ଘରକୁ ନେଇ ଆସିଥିଲେ। ଘରକୁ ଆସିବା ମାତ୍ରେ ପିଲାଟି ନିଜ ରୁମକୁ ଚାଲି ଯାଇଥିଲା। ଦୀର୍ଘ ସମୟ ସେ ରୁମରୁ ନ ବାହାରିବାରୁ ଘର ଲୋକେ ଯାଇ ଦେଖିବାରୁ କୃଷ୍ଣେନ୍ଦୁ କୀଟନାଶକ ପିଇ ଦେଇଛି। ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁବାର କୃଷ୍ଣେନ୍ଦୁର ମୃତ୍ୟୁ ଘଟିଛି।