ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ଶୁକ୍ରବାର ସମସ୍ତ ଅନଲାଇନ ଓ ଅଫଲାଇନ ବେଟିଂ ଆପ୍ଲିକେସନକୁ ବେଆଇନ ଘୋଷିତ କରିବା ଦାବି ଉପରେ ଦାଖଲ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରିଛନ୍ତି । ମାମଲାରେ ଅଦାଲତ କେନ୍ଦ୍ର ସରକାରଙ୍କ ଜବାବ ଲୋଡିଛନ୍ତି । ପୀଠ କହିଛନ୍ତି, ସେ କେନ୍ଦ୍ରକୁ ପଚାରିବେ ଯେ, ଏହି ମାମଲାରେ କଣ କରାଯାଉଛି । ଏଥିରେ ଆଟର୍ଣ୍ଣିଂ ଜେନେରାଲ ଓ ସଲିସିଟର ଜେନେରାଲଙ୍କ ସହାୟତା ମଧ୍ୟ ଲୋଡା ଯାଇଛି ।
ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଏନ କୋଟିଶ୍ୱରଙ୍କ ପୀଠ କେଏ ପଲଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥିରେ ସେ ଦାବି କରିଛନ୍ତି ଯେ, ଅନଲାଇନ ବେଟିଂ ଆପ୍ ଏବଂ ଏହା ସଂପର୍କିତ ଆପର ବ୍ୟବହାର କରିବା ପରେ ଅନେକ ପିଲା ଆତ୍ମହତ୍ୟା କଲେଣି । ଏପରିକି ଅନେକ ପ୍ରଭାବଶାଳୀ ଲୋକ, ଅଭିନେତା ଓ କ୍ରିକେଟର ମଧ୍ୟ ଏହି ଅନଲାଇନ ଆପର ପ୍ରଚାର କରୁଛନ୍ତି । ଏହି କାରଣରୁ ଛୋଟଠୁ ନେଇ ବଡ ପିଲା ପର୍ଯ୍ୟନ୍ତ ଏଥିପ୍ରତି ଆକର୍ଷିତ ହେଉଛନ୍ତି ।
ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ପଲ୍ କହିଛନ୍ତି, ମୁଁ ଏଠାରେ ସେହି ଲକ୍ଷାଧିକ ବାପା-ମାଆଙ୍କ ପକ୍ଷରୁ ପକ୍ଷ ରଖୁଛି, ଯେଉଁମାନେ ଗତ ଦିନରେ ନିଜ ପିଲାଙ୍କୁ ହରାଇଛନ୍ତି । ତେଲେଙ୍ଗାନାରେ ୧୦୨୩ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । କାରଣ ୨୪ ବଲିଉଡ ଓ ଟଲିଉଡର ଅଭିନେତା/ଅଭିନେତ୍ରୀ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଏହି ସବୁ ବେଟିଂ ଆପର ପ୍ରଚାର କରି ସେମାନଙ୍କ ଜୀବନ ସହ ଖେଳିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି, ତେଲେଙ୍ଗାନାରେ ପ୍ରଭାବଶାଳୀ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । କାରଣ ମାମଲା ମୌଳିକ ଅଧିକାରର ଉଲ୍ଲଂଘନ କରୁଛି । ପୀଠ କହିଛନ୍ତି, ସେ ଅଧିକ କିଛି କରି ପାରିବେ ନାହିଁ କାରଣ ଏହି ସମାଜର ବିକୃତି ଏବଂ ଆଇନ ତିଆରି କରି ଲୋକଙ୍କୁ ସ୍ୱେଚ୍ଛାକୃତ ଜୁଆ ଖେଳରୁ ଲିପ୍ତ ହେବାରୁ ଅଟକାଇ ପାରିବୁ ନାହିଁ ।
ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଏହି ମାମଲାରେ କଣ କରାଯାଇ ପାରିବ ? ସିଦ୍ଧାନ୍ତ ରୂପେ ଆମେ ଆପଣଙ୍କ ସହ ଅଛୁ ଏବଂ ଏହାକୁ ବନ୍ଦ କରାଯିବା ଉଚିତ୍ । କିନ୍ତୁ ଆପଣ ବୋଧହୁଏ ଭୁଲ ଧାରଣାରେ ଅଛନ୍ତି ଯେ, ଆଇନ ଜରିଆରେ ଏହାକୁ ରୋକା ଯାଇ ପାରିବ । ଯେମିତି ଆମେ ଲୋକଙ୍କୁ ହତ୍ୟା କରିବାରେ ଅଟକାଇ ପାରୁୁନୁ, ଠିକ ସେହିପରି କୌଣସି ଆଇନ ଲୋକଙ୍କୁ ଅନଲାଇନ ବେଟିଂ କିମ୍ବା ଜୁଆ ଖେଳରୁ ନିବୃତ କରାଯାଇ ପାରିବ ନାହିଁ । ପଲ୍ କହିଛନ୍ତି, କିଛି ପୂର୍ବତନ କ୍ରିକେଟର ମଧ୍ୟ ଏମିତି ଆପକୁ ପ୍ରୋତ୍ସାହନ ଦେଉଛନ୍ତି, ଯେଉଁ କାରଣରୁ ବହୁତ ଯୁବକ ଅନଲାଇନ ବେଟିଂରେ ଲିପ୍ତ ହେଉଛନ୍ତି ।