ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନର ଅସଲ ଚେହାରାକୁ ବିଶ୍ୱ ଦରବାର ପହଁଚାଇବାକୁ ଭାରତୀୟ ସର୍ବଦଳୀୟ କମିଟି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି । ଭାରତୀୟ ପ୍ରତିନିଧି ଦଳ ଅନେକ ଦେଶ ଗସ୍ତ କରିଛନ୍ତି । ଡିଏମକେ ସାଂସଦ କାନିମୋଝିଙ୍କ ନେତୃତ୍ୱରେ ଗଠିତ ସର୍ବଦଳୀୟ କମିଟି ବର୍ତ୍ତମାନ ରୁଷ ଭ୍ରମଣରେ ରହିଛି । ତେବେ ସଂସଦୀୟ ପ୍ରତିନିଧି ରୁଷ ରାଜଧାନୀ ମସ୍କୋରେ ପହଁଚିବା ପୂର୍ବରୁ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ରିପୋର୍ଟ ମୁତାବକ, କାନିମୋଝିଙ୍କ ନେତୃତ୍ୱରେ ଯାଉଥିବା ପ୍ରତିନିଧି ଦଳ ମସ୍କୋ ବିମାନବନ୍ଦରରେ ପହଁଚିବା ପୂର୍ବରୁ ଏକ ଡ୍ରୋନ୍ ଆକ୍ରମଣ ହୋଇଛି । ଫଳରେ ସାଂସଦ ଯାଉଥିବା ବିମାନଟି ଆଉ ଅବତରଣ କରିପାରିନଥିଲା । ବିମାନଟି କିଛି ସମୟ ପର୍ଯ୍ୟନ୍ତ ଆକାଶରେ ଉଡ଼ି ଥିଲା । ଘଟଣା ପରେ, କିଛି ଘଣ୍ଟା ପାଇଁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା । ପରିସ୍ଥିତି ଯାଞ୍ଚ କରାଯିବା ପରେ ଭାରତୀୟ ପ୍ରତିନିଧି ଦଳ ଯାତ୍ରା କରୁଥିବା ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା।
ଆପଣଙ୍କୁ ଜଣାଇ ଦେଉଛୁ ଯେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିଷୟରେ ଅନ୍ତର୍ଜାତୀୟ ସଚେତନତା ବୃଦ୍ଧି କରିବା ପାଇଁ ସାଂସଦ କାନିମୋଝିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସର୍ବଦଳୀୟ ପ୍ରତିନିଧି ଦଳର ଅଂଶ ଭାବରେ ରୁଷ ଗସ୍ତ କରିଛନ୍ତି ।