ନୂଆଦିଲ୍ଲୀ: ଜର୍ମାନୀ ଆତଙ୍କବାଦ ବିରୁଦ୍ଧରେ ଆରମ୍ଭ ହୋଇଥିବା ଭାରତର ଅପରେସନ ସିନ୍ଦୁରକୁ ସମର୍ଥନ କରିଛି। ଜର୍ମାନୀ ବୈଦେଶିକ ମନ୍ତ୍ରୀ ଜୋହାନ ୱାଡେଫୁଲ କହିଛନ୍ତି, ଭାରତକୁ ଆତଙ୍କବାଦ ବିରୁଦ୍ଧରେ ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ଏହା ସହିତ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି।
ଜର୍ମାନୀ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଏପ୍ରିଲ ୨୨ ରେ ଭାରତରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣରେ ଆମେ ମର୍ମାହତ। ଆମେ ସାଧାରଣ ନାଗରିକଙ୍କ ଉପରେ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛୁ। ଆମର ଗଭୀର ସମବେଦନା ସମସ୍ତ ପୀଡିତ ଏବଂ ସେମାନଙ୍କ ପରିବାର ସହିତ ରହିଛି। ଉଭୟ ପକ୍ଷର ସାମରିକ ଆକ୍ରମଣ ପରେ, ଭାରତ ଆତଙ୍କବାଦ ବିରୁଦ୍ଧରେ ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ରଖିଛି। ଆତଙ୍କବାଦ ବିରୁଦ୍ଧ ଲଢ଼େଇକୁ ଆମେ ସର୍ବଦା ସମର୍ଥନ କରିବୁ।
ଜର୍ମାନୀ ବୈଦେଶିକ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ଆମେ ବହୁତ ପ୍ରଶଂସା କରୁଛୁ। ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅସ୍ତ୍ରବିରତି ଆଗକୁ ଜାରି ରହୁ। ଯାହା ଦ୍ୱାରା ଉଭୟ ପକ୍ଷର ଗୁରୁତ୍ଵପୂର୍ଣ୍ଣ ସ୍ୱାର୍ଥକୁ ଧ୍ୟାନରେ ରଖି ସମାଧାନ ପାଇଁ ସକରାତ୍ମକ ଆଲୋଚନା ହୋଇ ପାରିବ। ଜର୍ମାନୀ ଏବଂ ଭାରତ ବର୍ଷ ବର୍ଷ ଧରି ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ଉପରେ ନିୟମିତ ଆଲୋଚନାକୁ ପ୍ରୋତ୍ସାହିତ କରିଆସୁଛନ୍ତି। ଆମେ ଏହାକୁ ଆହୁରି ତୀବ୍ର କରିବାକୁ ଚାହୁଁଛୁ।
ଏସ. ଜୟଶଙ୍କର କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୂର ପରେ ମୁଁ ବର୍ଲିନ ଆସିଛି। ଭାରତ ଆତଙ୍କବାଦକୁ ଆଦୌ ସହ୍ୟ କରିବ ନାହିଁ। ଭାରତ କେବେବି ପରମାଣୁ ବ୍ଲାକମେଲର ଶିକାର ହେବ ନାହିଁ ଏବଂ ଭାରତ ପାକିସ୍ତାନ ସହିତ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ଭାବରେ ମୁକାବିଲା କରିବାକୁ ପ୍ରସ୍ତୁତ। ଏହି ସମ୍ଵନ୍ଧରେ କୌଣସି ପ୍ରକାର ଭ୍ରମ ମନରେ ରହିବା ଉଚିତ୍ ନୁହେଁ। ପ୍ରତ୍ୟେକ ଦେଶକୁ ଆତଙ୍କବାଦ ବିରୁଦ୍ଧରେ ନିଜକୁ ରକ୍ଷା କରିବାର ଅଧିକାର ଅଛି ବୋଲି ଜର୍ମାନୀର ଏହି ସମ୍ବେଦନକୁ ଆମେ ଗୁରୁତ୍ୱ ଦେଉଛୁ।